ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସହରାଞ୍ଚଳରେ ଜଳ ନିଷ୍କାସନ ପାଇଁ ପାଣି ପମ୍ପ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଜଳବନ୍ଦୀ ହୋଇ ରହିଥିବା ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ପାଣି ପମ୍ପକୁ ଆଗୁଆ ପ୍ରସ୍ତୁତ ରଖିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ମୁକାବିଲା ପାଇଁ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଲାଇନ୍ ବିଭାଗ ସହ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥିତିର ସମୀକ୍ଷା କରିବା ପାଇଁ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସମେତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପରିସ୍ଥିତି ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି ।