ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବାବେଳେ ପରିମାଣକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୃଦ୍ଧି କରିଛନ୍ତି । ଏଣିକି ସାମୟିକ କର୍ମଚାରୀ କାର୍ଯ୍ୟରୁ ନିବୃତ୍ତି ସମୟରେ ପାଇବେ ଏକକାଳୀନ ୨.୫ ଲକ୍ଷ ଟଙ୍କା । ପୂର୍ବରୁ ଏହି ପରିମାଣ ୧.୫ ଲକ୍ଷ ଟଙ୍କା ମିଳୁଥିଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ମୋହର ମାରିଛନ୍ତି ।
ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ କିନ୍ତୁ ୫ ବର୍ଷ ପୂରଣ କରିନଥିବେ ତେବେ ସେ କ୍ଷେତ୍ରରେ ସେମାନେ ଏହି ଅର୍ଥ ରାଶି ପାଇପାରିବେ । ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ, ଚାକିରି ଛାଡ଼ିବା ସମୟରେ ସେମାନେ ସର୍ବନିମ୍ନ ଗ୍ରାଚ୍ୟୁଇଟି ୨.୫ ଲକ୍ଷ ଟଙ୍କା ପାଇବେ।
ଖାଲି ସେତିକି ନୁହେଁ ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକତା ପଡିବ ନାହିଁ । ବିଭାଗମାନେ ନିଜେ ପ୍ରତି ଦୁଇ ବର୍ଷରେ ଏହି ପରିମାଣ ବୃଦ୍ଧି କରି ପାରିବେ।