ପୁରୀ: ଆସନ୍ତାକାଲି ରଥଯାତ୍ରା ଅବସରରେ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ଶିଳ୍ପପତି ଓ ଭିଭିଆଇପି ପୁରୀ ଆସି ରଥଯାତ୍ରା ଦେଖିବେ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି।
ଆସନ୍ତାକାଲି ପୁରୀ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୧୦ହଜାର ପୋଲିସ କର୍ମଚାରୀ । ଆଜି ରାତିରୁ ଟ୍ରାଫିକ କଟକଣା ଜାରି ହେବ । ରଥଯାତ୍ରା ଲାଗି ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି AI ସିସିଟିଭି କ୍ୟାମେରା ଲଗାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ଟାଉନ ଥାନା ରେ ଖୋଲାଯାଇଛି ସ୍ୱତନ୍ତ୍ର ଇଣ୍ଟିଗ୍ରେଟେଡ଼ କମାଣ୍ଡ କଂଟ୍ରୋଲ ରୁମ । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମରୁ ସୁରକ୍ଷା କର୍ମୀ ନଜର ରଖିବେ ।
କାଲି ସକାଳ ୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି ହେବ। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ଼ ହେବେ। ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାକୁ ଥିବାବେଳେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି।