ପୁରୀ : ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ । ଭାବଭକ୍ତିରେ ଉଛୁଳିପଡ଼ୁଛି ବଡ଼ଦାଣ୍ଡ । ଆରମ୍ଭ ହୋଇଗଲାଣି ଆସନ୍ତାକାଲି ପାଇଁ ରଥଯାତ୍ରା ପୂର୍ବ ପ୍ରସ୍ତୁତି। ବଡ଼ଦାଣ୍ଡରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ।
ଆଜ୍ଞାମାଳ ବିଜେ ପରେ ରଥଖଳାରୁ ଗଡ଼ିଲା ରଥ। ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାର ଅଭିମୁଖେ ଗଡ଼ିଲା। ବଳଭଦ୍ରଙ୍କ ଅନୁମତି ପରେ ପ୍ରଥମେ ଗଡ଼ିଲା ନନ୍ଦିଘୋଷ।
ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଆଜି ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥ ବିଜେ ହୋଇଛନ୍ତି। ୩ ରଥର ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଛନ୍ତି। ଏହା ପରେ ରଥଖଳାରୁ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ନେଇଛନ୍ତି ପୋଲିସ ଅଧିକାରୀ ଓ ବହୁ ଶ୍ରଦ୍ଧାଳୁ। ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ଅଭିମୁଖେ ଅଣାଯାଉଛି। ସିଂହଦ୍ୱାରରେ ବିଜେ କରିବା ପରେ ୩ ରଥରେ ବସି ଗୁଣ୍ଡିଚା ଘରକୁ ଯିବେ ଶ୍ରୀଜିଉ। ତେଣୁ ଏଥିପାଇଁ ସେବାୟତଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ନିଆଯାଇଥାଏ। ତେବେ ବର୍ତ୍ତମାନ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।