ନୂଆଦିଲ୍ଲୀ: ଏସିଆ କପକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ ନାହିଁ ? କଣ ଭାରତ ଖେଳିବ ? କଣ ପାକିସ୍ତାନ ଏଥିରେ ଅଂଶଗ୍ରହଣ କରିବ ? ପହଲଗାମ ଆତଙ୍କୀ ହମଲା ଏବଂ ଏହା ପରେ ଭାରତର ଅପରେସନ ସିନ୍ଦୂର ପରେ ନୂଆଦିଲ୍ଲୀ ଓ ଇସଲାମାବାଦ ସଂପର୍କ ତିକ୍ତତାପୂର୍ଣ୍ଣ ରହିଛି । ଏହି କାରଣରୁ ଏସିଆ କପ ଉପରେ ଅନିଶ୍ଚିତତାର କଳା ବାଦଲ ଲାଗି ରହିଛି । ଏହା ମଧ୍ୟରେ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ବ୍ରଡକାଷ୍ଟରର ଏକ ପ୍ରୋମୋରେ କଳ୍ପନା ଜଳ୍ପନା ଜୋର ଧରିଛି ଯେ, ବୋଧହୁଏ ପାକିସ୍ତାନ ଏସିଆ କପ୍ ଖେଳିବ ନାହିଁ ।
ଏସିଆ କପ ୨ ବର୍ଷ ପରେ ସେପ୍ଟେମ୍ବରରେ ଖେଳାଯିବା ନେଇ ପ୍ରସ୍ତାବିତ ରହିଛି । ୨୦୨୬ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳା ଯାଉଛି । ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ସୋନି ସ୍ପୋର୍ଟ୍ସ ଏସିଆ କପର ଏକ ପ୍ରୋମୋ ଜାରି କରିଛି । ପ୍ରୋମୋରେ ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କାର ଟି-୨୦ ଅଧିନାୟକଙ୍କ ଫଟୋ ରହିଛି। ହେଲେ ପାକିସ୍ତାନର କୌଣସି ଖେଳାଳିଙ୍କୁ ଏଥିରେ ଦେଖିବାକୁ ମିଳିନି ।
ସୋନି ସ୍ପୋର୍ଟ୍ସ ଇଂଲଣ୍ଡ ବନାମ ଭାରତ ଟେଷ୍ଟ ସିରିଜର ଅଫିସିଆଲ ବ୍ରଡକାଷ୍ଟର । ମଙ୍ଗଳବାର ଲିଡ୍ସ ଟେଷ୍ଟର ଶେଷ ଦିନରେ ସୋନି ସ୍ପୋର୍ଟ୍ସ ଏସିଆ କପର ପ୍ରୋମୋ ଚଲାଇଛି । ଏଥିରୁ ସଙ୍କେତ ମିଳିଛି ଯେ, ଟୁର୍ଣ୍ଣାମେଣ୍ଟ ନିଶ୍ଚୟ ହେବ । ମାତ୍ର ପ୍ରୋମୋରେ ଯେଉଁ ଫଟୋ ଦେଖିବାକୁ ମିଳିଛି, ସେଥିରୁ ଚର୍ଚ୍ଚା ଜୋର ଧରିଛି ଯେ, ପାକିସ୍ତାନ ଦଳ ଏସିଆ କପରେ ଅଂଶଗ୍ରହଣ କରିବ ନାହିଁ ।
ପ୍ରୋମୋରେ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ବାଂଲାଦେଶର ଅଧିନାୟକ ନଜମୁଲ ହସନ ସାଣ୍ଟୋ ଓ ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କାଙ୍କ ଫଟୋ ରହିଛି । ମାତ୍ର ଏଥିରେ ପାକିସ୍ତାନର ଅଧିନାୟକଙ୍କ ଫଟୋ ଲାଗିନି । ଏସିଆ କପରେ ୮ଟି ଦଳ ଅଂଶଗ୍ରହଣ କରିବେ । ଟିମ୍ ହେଉଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ, ୟୁଏଇ ଓ ହଂକଂ ।