ନୂଆଦିଲ୍ଲୀ: ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ବର୍ମିଂଘମର ଏଜବାଷ୍ଟନରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲା ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି । ତେବେ ଦଳ ପାଇଁ ବର୍ମିଂଘମ ଟେଷ୍ଟ ଜିତିବା ସେତେ ସହଜ ନୁହେଁ । ଯଦି ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଦ୍ୱିତୀୟ ଟେଷ୍ଟ ଜିତିବାର ଅଛି ତେବେ ବର୍ମିଂଘମରେ ଇତିହାସ ରଚିବାକୁ ପଡିବ । ଭାରତ ଏହି ମଇଦାନରେ ୧୯୬୭ ମସିହାରେ ପ୍ରଥମ ଟେଷ୍ଟ ଖେଳିଥିଲା । କିନ୍ତୁ ଦଳ ଏ ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ହେଲେ ଟେଷ୍ଟ ଜିତି ପାରିନି ।
ବର୍ମିଂଘମର ଏହି ମଇଦାନରେ ଭାରତ ଗତ ୫୮ ବର୍ଷରେ ୮ଟି ମ୍ୟାଚ୍ ଖେଳି ୭ଟି ହାରିଥିବା ବେଳେ ଗୋଟିଏ ମୁକାବିଲା ଡ୍ର ରହିଛି । ଏହି ଡ୍ର ହୋଇଥିବା ମ୍ୟାଚ୍ ୧୯୮୬ରେ ଖେଳା ଯାଇଥିଲା । ତେବେ ୨୦୦୧ ପରଠୁ ନଜର ପକାଇଲେ ଭାରତ ତିନୋଟି ମ୍ୟାଚ୍ ୨୦୧୧, ୨୦୧୮ ଏବ ୨୦୨୨ରେ ଖେଳିଥିବା ତିନି ମ୍ୟାଚ୍ ହାରିଛି । ୨୦୧୧ରେ ଭାରତ ଇନିଂସ ଓ ୨୪୨ ରନରେ ପରାଜୟ ଭୋଗିଥିଲା । ୨୦୧୮ରେ ୩୧ ରନ ଓ ୨୦୨୨ରେ ୭ ୱିକେଟରେ ମ୍ୟାଚ୍ ହାରିଥିଲା ।
ଭାରତକୁ ଯଦି ଏଜବାଷ୍ଟନ ଟେଷ୍ଟ ଜିତିବାର ଅଛି ତେବେ ରଣନୀତି ଏବଂ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବାକୁ ପଡିବ । କାର୍ଯ୍ୟଭାର କାରଣରୁ ଯଶପ୍ରୀତ ବୁମରାଙ୍କ ଦ୍ୱିତୀୟ ଟେଷ୍ଟ ଖେଳିବା ମୁସ୍କିଲ । ଏମିତିରେ ଭାରତର ବୋଲିଂ ଆକ୍ରମଣ ଦୁର୍ବଳ ରହିବ । ଏଜବାଷ୍ଟନରେ ଏ ପର୍ଯ୍ୟନ୍ତ ଖସିଥିବା ୧୬୫୬ ୱିକେଟ ମଧ୍ୟରୁ ୧୧୮୫ ୱିକେଟ ଦ୍ରୁତ ବୋଲର ନେଇଛନ୍ତି । ଏମିତିରେ ଗମ୍ଭୀର-ଗିଲଙ୍କ ଯୋଡି ଏହି ପିଚରେ ଜଣେ ସ୍ପିନରଙ୍କୁ ଖେଳାଇପାରନ୍ତି । ବୁମରାଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ରହିଛି । ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ଏବେ ବୋଲିଂର ଦାୟିତ୍ୱ ଉଠାଇବାକୁ ପଡିବ ।
ସେହିପରି ନିମ୍ନକ୍ରମର ବ୍ୟାଟରଙ୍କୁ ରନ କରିବାକୁ ପଡିବ । ଲିଡ୍ସରେ ପ୍ରଥମ ଇନିଂସରେ ଭାରତ ୪୧ ରନରେ ଶେଷ ୭ ୱିକେଟ ଏବଂ ଦ୍ୱିତୀୟ ଇନିଂସରେ ୩୧ ରନରେ ୬ ୱିକେଟ ହରାଇଥିଲା । ଟିମ୍ ଇଣ୍ଡିଆ ପରାଜୟର ଏହା ସବୁଠୁ ବଡ କାରଣ ଥିଲା । ବ୍ୟାଟିଂକୁ ମଜବୁତ କରିବା ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ ।