ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦ ଛାଡି ସଭିଙ୍କୁ ଚକିତ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦଳର ଲଜ୍ଜାଜନକ ପରାଜୟ ପରେ ସାଣ୍ଟୋ ଏମିତି ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏମିତି ଅପ୍ରତ୍ୟାଶି ନିଷ୍ପତ୍ତିକୁ ପ୍ରଶଂସକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । କାରଣ ନଜମୁଲ ହୁସେନ ସାଣ୍ଟୋ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିଲେ ।
ଉଲ୍ଲେଖନୀୟ କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ଇନିଂସ ଓ ୭୮ ରନରେ ବାଂଲାଦେଶକୁ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜିତିଛି । ଗାଲେରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ଏହି ମ୍ୟାଚରେ ସାଣ୍ଟୋ ଉଭୟ ଇନିଂସରେ ଶତକ ମାରି ଇତିହାସ ରଚିଥିଲେ । ତେବେ ଦ୍ୱିତୀୟ ଟେଷ୍ଟରେ ଦଳ ସହ ନିଜର ପ୍ରଦର୍ଶନ ନିରାଶଜନକ ଥିଲା । ଦଳର ବ୍ୟାଟର ଉଭୟ ଇନିଂସରେ ଫ୍ଲପ ମାରିଥିଲେ । ଶାନ୍ତ କ୍ରମଶଃ ୮ ରନ ଓ ୧୯ ରନ କରିଥିଲେ । ଏହି ହତାଶ କାରଣରୁ ସାଣ୍ଟୋ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ।
ଗାଲେ ଟେଷ୍ଟରେ ଉଭୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଥିଲେ ସାଣ୍ଟୋ । ପ୍ରଥମ ଇନିଂସରେ ୧୪୮ ରନ ଓ ଦ୍ୱିତୀୟ ଇନିଂସରେ ୧୨୫ ରନର ଶତକୀୟ ଇନିଂସ ଖେଳିଥିଲେ । ସାଣ୍ଟୋ ବାଂଲାଦେଶର ଏମିତି ପ୍ରଥମ ଟେଷ୍ଟ ଅଧିନାୟକ ଯିଏ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଟେଷ୍ଟର ଦୁଇ ଇନିଂସରେ ଶତକ ହାସଲ କରିଥିଲେ । କିନ୍ତୁ ସେହି ସମୟରେ ସେ ଦଳର ଅଧିନାୟକ ନ ଥିଲେ ।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୨୪୭ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଶ୍ରୀଲଙ୍କା ପଥୁମ ନିଶଙ୍କାଙ୍କ ଶତକ ଓ ଦିନେଶ ଚାନ୍ଦିମାଲଙ୍କ ସହ କୁଶଲ ମେଣ୍ଡିସଙ୍କ ଅର୍ଦ୍ଧଶତକ ବଳରେ ୪୫୮ ରନ କରିଥିଲା । ତେବେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ସ୍ପିନରଙ୍କ ମୁକାବିଲା କରି ନ ପାରି ମାତ୍ର ୧୩୩ ରନରେ ଅଲଆଉଟ୍ ହୋଇଥିଲା । ଆଉ ଘରୋଇ ଶ୍ରୀଲଙ୍କା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ନିଜ ନାମରେ କରି ପାରିଛି ।