ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୨ରୁ ବର୍ମିଂଘମର ଏଜବାଷ୍ଟନରେ ଖେଳାଯିବ । ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟକା । ପ୍ରଥମ ଟେଷ୍ଟରେ ଲାଲ ବଲ୍ କ୍ରିକେଟରେ ପଦାର୍ପଣ କରିଥିବା ସାଇ ସୁଦର୍ଶନ ଆହତ ହୋଇଛନ୍ତି । ତେଣୁ ତାଙ୍କର ବର୍ମିଂଘମ ଟେଷ୍ଟ ଖେଳିବା ମୁସ୍କିଲ ଲାଗୁଛି ।
ଋିପୋର୍ଟ ଅନୁଯାୟୀ, ପ୍ରଥମ ଟେଷ୍ଟରେ ସାଇ ସୁଦର୍ଶନଙ୍କ କାନ୍ଧରେ ଆଘାତ ଲାଗିଥିଲା । ତେବେ ବିସିସିଆଇ ପକ୍ଷରୁ ଏ ସଂପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କିନ୍ତୁ ସାଇ ସୁଦର୍ଶନଙ୍କ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ସନ୍ଦେହ ଉପୁଜିଛି ।
ସାଇ ସୁଦର୍ଶନ ଇଂଲଣ୍ଡ ବିପକ୍ଷ ଲିଡ୍ସରେ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିଲେ । ହେଲେ ସେ ପଦାର୍ପଣ ଇନିଂସରେ ଶୂନ୍ୟରେ ଆଉଟ୍ ହୋଇଥିଲେ । ଏହା ପରେ ଦ୍ୱିତୀୟ ଇନିଂସରେ ୩୦ ରନ କରିପାରିଥିଲେ । ଯଦି ସୁଦର୍ଶନ ଦ୍ୱିତୀୟ ଟେଷ୍ଟ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ କିମ୍ବା ନୀତିଶ ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ଏମିତି ସ୍ଥିତିରେ କରୁଣ ନାୟର ତିନି ନମ୍ବରରେ ବ୍ୟାଟିଂ କରି ପାରନ୍ତି ।
ଅନ୍ୟପଟେ ଭାରତୀୟ ଦଳର ଯୁବ ଦ୍ରୁତ ବୋଲର ହର୍ଷିତ ରାଣା ଦଳରୁ ରିଲିଜ୍ ହେବା ପରେ ସ୍ୱଦେଶ ଫେରି ଆସିଛନ୍ତି । ଏହି ବୋଲରଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ୧୮ ଜଣିଆ ଦଳରେ ଚୟନ କରାଯାଇ ନ ଥିଲା । ମାତ୍ର ଇଣ୍ଡିଆ ଏ ମ୍ୟାଚ୍ ପରେ ତାଙ୍କୁ ଦଳରେ କଭର ଖେଳାଳି ଭାବେ ସାମିଲ୍ କରାଯାଇଥିଲା । ହେଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ତାଙ୍କୁ ଦଳରୁ ରିଲିଜ୍ କରାଯାଇଛି । ସେମିତିରେ ଅଂଶୁଲ କମ୍ବୋଜ ଓ ମୁକେଶ କୁମାରଙ୍କ ପରି ବୋଲର ଥିବା ସତ୍ତ୍ୱେ ହର୍ଷିତଙ୍କୁ ଦଳରେ ରଖାଯିବା ନେଇ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠୁଥିଲା ।