ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ କାହିଁ କେଉଁ ଆଡୁ ଭକ୍ତମାନଙ୍କର ସୁଅ ଛୁଟୁଛି । ଯାହା ପାଇଁ ଶରଧାବାଲିରେ ଏକ ବଡ଼ ଅଘଟଣ ଘଟିଯାଇଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ସେଥିପାଇଁ ଓଡ଼ିଶା ପୋଲିସର ଜରୁରୀ ସୂଚନା ଜାରି କରାଯାଇଛି । ତୀର୍ଥ ଯାତ୍ରୀ ଓ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି ।
ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି ଯେ, ତୀର୍ଥ ଯାତ୍ରୀ ଓ ଭକ୍ତମାନଙ୍କୁ ଟ୍ରାଫିକ୍ ସମସ୍ୟା ପାଇଁ ଦୁଇ ଘଣ୍ଟା କିମ୍ବା ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଦୟାକରି ଏହାକୁ ଧ୍ୟାନ ଦିଅନ୍ତୁ । ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି କୁହାଯାଇଛି । ସମସ୍ତ ଭକ୍ତଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ଶରଧାବାଲିରେ ଅଘଟଣ ପରେ ରାଜ୍ୟ ସରକାର ବଡ ଆକ୍ସନ ନେଇ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରାଇଛନ୍ତି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ । ଏହାସହ ପୁରୀ ଏସ୍ପି ବିନିତ ଅଗ୍ରଓ୍ୱାଲ୍ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ଖାଲି ସେତିକି ନୁହେଁ, DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।