ପୁରୀ: ଶରଧାବାଲିରେ ଅଘଟଣ ପରେ ରାଜ୍ୟ ସରକାରଙ୍କ ବଡ ଆକ୍ସନ । ଅଘଟଣ ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ । ଏହାସହ ପୁରୀ ଏସ୍ପି ବିନିତ ଅଗ୍ରଓ୍ୱାଲ୍ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ । ଖାଲି ସେତିକି ନୁହେଁ, DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ। ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ। ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି। ସେହି ଉତ୍କଣ୍ଠା ଜନିତ ବ୍ୟଗ୍ରତା ଓ ଭିଡ କାରଣରୁ ତିନି ଜଣ ଶ୍ରଦ୍ଧାଳୁଙ୍କ ପରଲୋକ ଘଟିଛି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।