ଭୋପାଳ: ଭୋପାଳର ୯୦ ଡିଗ୍ରୀ ବାଙ୍କ ଥିବା ବ୍ରିଜର ଦୃଶ୍ୟ ସମଗ୍ର ଦେଶରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଅନେକ କଟାକ୍ଷ ମଧ୍ୟ କରାଯାଇଛି । ଏବେ ଏହି ୯୦ ଡିଗ୍ରୀ ବାଙ୍କର ବ୍ରିଜକୁ ନେଇ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବ୍ରିଜ ନିର୍ମାଣରେ ଗୁରୁତର ଅବହେଳା କରିଥିବା ୮ ଇଞ୍ଜିନିୟରଙ୍କ ସସପେଣ୍ଡ ସହ ନିର୍ମାଣ କରିଥିବା ଏଜେନ୍ସିକୁ ବ୍ଲାକଲିଷ୍ଟ ଅର୍ଥାତ କଳା ତାଲିକାଭୁକ୍ତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏଶବାଗ ଆରଓବିର ନିର୍ମାଣରେ ଗମ୍ଭୀର ଅବହେଳା କାରଣରୁ ୯୦ ଡିଗ୍ରୀ ବାଙ୍କରେ ବ୍ରିଜ ନିର୍ମାଣ ହୋଇଛି । ଏହି ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ଲୋ.ନି.ଭିର ଆଠ ଇଞ୍ଜିନିୟରର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଚିଫ୍ ଇଞ୍ଜିନିୟରଙ୍କ ସହ ସାତ ଇଞ୍ଜିନିୟରଙ୍କୁ ତତ୍କାଳ ପ୍ରଭାବରୁ ସସପେଣ୍ଡ କରାଯାଇଛି ।
ଏହି ପ୍ରୋଜେକ୍ଟରେ ଆରଓବିର ତ୍ରୁଟିପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ କରିଥିବା ନିର୍ମାଣ ଏଜେନ୍ସି ଏବଂ ଡିଜାଇନ କନସଲଟାଣ୍ଟ ଉଭୟଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଆରଓବିରେ ଆବଶ୍ୟକ ସୁଧାର ପାଇଁ କମିଟି ଗଠନ କରାଯାଇଛି । ବ୍ରିଜ ନିର୍ମାଣରେ ସୁଧାର ପରେ ଏହାର ଲୋକାର୍ପଣ କରାଯିବ । ଏହାର ନିର୍ମାଣରେ ଅନିୟମିତତା ପାଇଁ ବିଭାଗୀୟ ତଦନ୍ତ କରାଯିବ ।