ଭୁବନେଶ୍ୱର : ସାମାଜିକ-ଅର୍ଥନୈତିକ ଢାଞ୍ଚା ଓ ନୂତନ ନୀତି ପ୍ରସ୍ତୁତ କରିବାରେ ପରିସଂଖ୍ୟାନର ମହତ୍ତ୍ବ ସମ୍ପର୍କରେ ସଚେତନତା ପ୍ରସାର ଆଣିବା ପାଇଁ ପ୍ରତିବର୍ଷ ଜୁନ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ପାଳନ କରାଯାଉଛି। ସ୍ବାଧୀନ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ତଥା ଜାତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ସ୍ମୃତିରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇ ଆସୁଛି।
ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ମହାଲାନୋବିସ ପ୍ରଶିକ୍ଷଣରେ ଜଣେ ପଦାର୍ଥବିଜ୍ଞାନୀ, ପ୍ରବୃତ୍ତିରେ ଜଣେ ପରିସଂଖ୍ୟାନବିତ୍ ଓ ଦୃଢ଼ ପ୍ରତ୍ୟୟରେ ଜଣେ ଯୋଜନା ପ୍ରସ୍ତୁତକାରୀ ଥିଲେ। ଦେଶର ପରିସଂଖ୍ୟାନ ଓ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ୨୦୦୭ ମସିହାରୁ ତାଙ୍କ ଜନ୍ମ ଦିବସକୁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରିବାର ପରିକଳ୍ପନା କରାଯଇଥିଲା।
ଏହି ଅବସରରେ ଜାତୀୟ ପ୍ରଗତିରେ ସରକାରୀ ପରିସଂଖ୍ୟାନର ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ସେମିନାର, ଆଲୋଚନାଚକ୍ର ଓ ପ୍ରତିଯୋଗିତାମାନ ଆୟୋଜନ କରାଯାଇଆସୁଛି। ପରିସଂଖ୍ୟାନ ଅଧ୍ୟୟନ କରିବା ଓ ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରସଙ୍ଗରେ ତାହାକୁ ପ୍ରୟୋଗ କରିବା ଲାଗି ଏହି ଦିବସ ଯୁବପିଢ଼ିକୁ ପ୍ରେରଣା ଯୋଗାଇଥାଏ। ସେହିପରି ଏହି ଦିବସ ପାଳନ ଦ୍ବାରା ଦେଶର ବିଭିନ୍ନ ଯୋଜନା ଓ ନୀତିଗୁଡ଼ିକର ବିକାଶ ଓ ବର୍ଣ୍ଣନା କରିବାରେ ସହଯୋଗ ହେଉଛି।