ଭୁବନେଶ୍ୱର; ଅଟିଜିମ ହେଉଛି ଏମିତି ଏକ ରୋଗ ଯାହାର କୌଣସି ଚିକିତ୍ସା ନଥାଏ। ପ୍ରତ୍ୟକ ବର୍ଷ ଏହି ରୋଗରେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇଥାନ୍ତି। ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ବିଶେଷ କରି ଏହି ରୋଗରେ ଶିଶୁମାନଙ୍କ ଭାଷାର ବିକାଶରେ ଅସୁବିଧା ହୋଇଥାଏ। ଏପରି ପରିସ୍ଥିତିରେ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ମନୋଭାବ ଦେଖାଯାଏ। ଯାହାକି ଅନେକ ନକରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଲୋକଙ୍କ ମଧ୍ୟରେ ଅଟିଜିମକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ବ ଅଟିଜିମ ସଚେତନତା ଦିବସ ପାଳନ କରାଯାଏ।
ଅଟିଜିମର ଲକ୍ଷଣ ;
ଅଟିଜିମ ସ୍ପେକ୍ଟ୍ରମ୍ ଡିସଅର୍ଡର ହେଉଛି ଏକ ସ୍ନାୟୁଗତ ସମସ୍ୟା। ଛୋଟ ପିଲାମାନେ ବିଶେଷ ଭାବେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ଅବସ୍ଥାରେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇପାରି ନଥାଏ। ଛୋଟ ପିଲାମାନଙ୍କଠାରେ ଅଟିଜମର ଲକ୍ଷଣ ଜନ୍ମର ୧୨ ରୁ ୧୮ ସପ୍ତାହ ପରେ ଦେଖାଯାଏ। ଅଟିଜିମ୍ ରୋଗୀଙ୍କ ଆଚରଣ, ଯୋଗାଯୋଗ କିମ୍ବା ଅନ୍ୟମାନଙ୍କ ସହିତ ପାରସ୍ପରିକ ସମ୍ପର୍କ, ସମ୍ବେଦନଶୀଳତା ଯେପରିକି ଆଲୋକ, ଧ୍ୱନି, ସ୍ପର୍ଶ, ଗନ୍ଧ କିମ୍ବା ସ୍ୱାଦ, ପୁନରାବୃତ୍ତି ଆଚରଣ, ଯେପରିକି ସମାନ କଥା ଏକାଧିକ ଥର କହିବା କିମ୍ବା ସମାନ କାର୍ଯ୍ୟ ବାରମ୍ବାର କରିବା ଭଳି ସମସ୍ୟା ହୋଇଥାଏ।
ମୁଖ୍ୟ ଉଦେଶ୍ୟ ;
ବିଶ୍ୱରେ ଅଟିଜିମ ରୋଗ ଦ୍ୱାରା ପୀଡିତଙ୍କ ଉପରେ ସଚେତନତା ସୃଷ୍ଟି ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତର ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଅଟିଜମରେ ପୀଡିତ ଶିଶୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇପାରିବ। କାରଣ ସମାଜ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବାର ଅଧିକାର ତାଙ୍କର ମଧ୍ୟ ରହିଛି। ଯଦି ଆମେ ଅଟିଜିମ ରୋଗରେ ଆକ୍ରନ୍ତ ଥିବା ପିଲାଙ୍କ ସହ ମିଶିବା କଥା ହେବା ତେବେ ତାଙ୍କର ଏହି ସମସ୍ୟା ଖୁବ ଶୀଘ୍ର ଦୂର ହୋଇଥାଏ।