ଭୁବନେଶ୍ୱର ; ଭାରତର ଗର୍ବ, ସମ୍ମାନ ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସେହି ମହାନ ପୁରୁଷଙ୍କ ପାଇଁ ଆଜି ଦିନ ଟିଏ। ଭଗତ ସିଂହ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କ କାର୍ଯ୍ୟ ଆମ ଦେଶ ପାଇଁ ଅତୁଳନୀୟ। ସେହି ସହିଦ ମହାନପୁରୁଷ ମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖକୁ ଭାରତରେ ସହିଦ ଦିବସ ପାଳନ କରାଯାଏ। ସହିଦ ଦିବସ ଦେଶ ପାଇଁ ଏକ ବିଶେଷ ଏବଂ ଭାବପ୍ରବଣର ଦିନ।
କାହିଁକି ପାଳନ ହୁଏ ଶହୀଦ ଦିବସ:
୧୯୨୮ରେ ଲାଲା ଲଜପତ ରାୟ ସାଇମନ୍ କମିସନ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ବ୍ରିଟିସ୍ ପୁଲିସ ମାଡ଼ରେ ଆହତ ହୋଇ ପରେ ମୃତ୍ୟୁବରଣ କରିଥିଲେ। ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ସ୍ବରୂପ ଶିବରାମ ରାଜଗୁରୁ, ସୁଖଦେବ ଥାପର ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଭଗତ ସିଂହ ଜନ୍ ପି. ସାଣ୍ଡର୍ସ ନାମକ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। କିଛି ମାସ ଅଜ୍ଞାତବାସରେ ରହିବା ପରେ ଭଗତ ସିଂହ ସକ୍ରିୟ ହୋଇଉଠିଥିଲେ। ୧୯୨୯ରେ ସହଯୋଗୀ ବଟୁକେଶ୍ବର ଦତ୍ତଙ୍କ ସହିତ ଦିଲ୍ଲୀ ସଂସଦରେ ବୋମା ଫୁଟାଇ ଆତ୍ମସମର୍ପଣ କରିଥିଲେ।
ଏହାର ଶୁଣାଣିରେ ଭଗତ ସିଂହ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦଣ୍ଡ ଦିଆଯାଇଥିଲା। ୧୯୩୧ ମାର୍ଚ୍ଚ ୨୩ ତାରିଖ ଦିନ ଲାହୋର ଜେଲ୍ର ଫାଶୀ ଖୁଣ୍ଟ ଅଭିମୁଖେ ଯିବା ବେଳେ ଭଗତ ଗାଇବା ଆରମ୍ଭ କରିଥିଲେ- ମୃତ୍ୟୁ ପରେ ବି ହୃଦୟରୁ ଦେଶପ୍ରେମ ସରିଯିବ ନାହିଁ ଏବଂ ମୋ ପାଉଁଶରୁ ବି ମାତୃଭୂମିର ସୁଗନ୍ଧ ମହକିବ। ତେଣୁ ସେହି ମହାନ ସହିଦ ପୁରୁଷକୁ ସମ୍ମାନ ଜଣାଇବା ଉଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ।