ସେଦିନ ବି ଥିଲା ତାରିଖ ୪… ଆଜି ବି ୪। ରାଜନୀତିର କ୍ୟାଲେଣ୍ଡରରେ ଏହି ସଂଖ୍ୟାଟି ଏବେ ମାତ୍ର ଏକ ତାରିଖ ନୁହେଁ, ଏକ ସଙ୍କେତ ପରିବର୍ତ୍ତନର ପ୍ରତୀକ ସାବ୍ୟସ୍ତ ହୋଇଛି। ମେ ୪, ୨୦୨୬। ପଶ୍ଚିମବଙ୍ଗର ମାଟିରେ ଚାଲିଛି ଭୋଟ ଗଣତି, ଏବଂ ପ୍ରତ୍ୟେକ ରାଉଣ୍ଡ ସହ ସରଗରମ ହେଉଛି ରାଜନୀତିର ପରିସ୍ଥିତି। ବର୍ଷ ବର୍ଷ ଧରି ଅଦମ୍ୟ ଥିବା ଦିଦିଙ୍କ ଗଡ ଆଜି ଭାଙ୍ଗିବାର ସଙ୍କେତ ଦେଉଛି।
ପ୍ରାରମ୍ଭିକ ଟ୍ରେଣ୍ଡ କହୁଛି, ବିଜେପି ଆଗରେ, ଏବଂ କେବଳ ଆଗରେ ନୁହେଁ, ବଡ଼ ମାର୍ଜିନରେ ଆଗରେ ରହିଛି। ୨୦୫ରୁ ଅଧିକ ଆସନରେ ଆଗୁଆ ଥିବା ବିଜେପି ପଶ୍ଚିମବଙ୍ଗରେ ନୂଆ ଇତିହାସ ଲେଖିବାକୁ ଯାଉଛି। ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡାଟକ୍କର ହେବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ସେଠାରେ ଏବେ ଏକପକ୍ଷୀୟ ହେବାର ସଙ୍କେତ ମିଳୁଛି।
ରାଜନୀତିରେ ଏହି ଦୃଶ୍ୟ ନୂଆ ନୁହେଁ। ଟିକିଏ ଫ୍ଲାସବ୍ୟାକ୍କୁ ଯାଆନ୍ତୁ.... ଜୁନ ୪, ୨୦୨୪। ଓଡ଼ିଶାର ରାଜନୀତିରେ ମଧ୍ୟ ଏହି ୪ ତାରିଖ ଲେଖିଥିଲା ଇତିହାସ। ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟିଥିଲା, ଏବଂ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଥିଲା। ସେହି ଦିନ ଯେପରି ଓଡ଼ିଶାର ରାଜନୀତିକୁ ଦୋହଲାଇଦେଇଥିଲା , ଆଜି ସେହି ତାରିଖ ପଶ୍ଚିମବଙ୍ଗରେ ତାହାର ପୁନରାବୃତ୍ତି କରୁଥିବା ପରି ଲାଗୁଛି।
ରାଜନୀତିରେ କାହା ଭାଗ୍ୟ କେବେ କେମିତି ପରିବର୍ତ୍ତନ ହେବ, ତାହା କେହି ଅନୁମାନ କରିପାରିବେନି। କିନ୍ତୁ ବିଜେପି ପାଇଁ ‘୪’ ଯେପରି ଲକି ଚାର୍ମ ହୋଇଯାଇଛି। ଦକ୍ଷିଣ ଭାରତରୁ ଆସାମ ପର୍ଯ୍ୟନ୍ତ, ଏବଂ ଏବେ ପଶ୍ଚିମବଙ୍ଗ, ସବୁଠି ଦଳର ପ୍ରଦର୍ଶନ ଏକ ନୂଆ ରାଜନୀତିକ ମାନଚିତ୍ର ତିଆରି କରୁଛି।
ମମତାଙ୍କ ଦୃଢ଼ ଗଡ ଭାଙ୍ଗିବା ସହିତ ଏହା କେବଳ ଏକ ନିର୍ବାଚନୀ ଫଳାଫଳ ନୁହେଁ, ବରଂ ଏକ ଯୁଗ ପରିବର୍ତ୍ତନର ସଙ୍କେତ। ଏବେ ସବୁଙ୍କ ନଜର ଅନ୍ତିମ ଫଳାଫଳ ଉପରେ କିନ୍ତୁ ଟ୍ରେଣ୍ଡ ଯାହା କୁହୁଛି, ସେଥିରୁ ଏକ କଥା ସ୍ପଷ୍ଟ ହେଉଛି ଯେ, “୪” ତାରିଖ ବିଜେପି ପାଇଁ ଆଉଥରେ ଶୁଭ ସଂକେତ ହେବାକୁ ଯାଉଛି।
ଅଧିକ ପଢନ୍ତୁ: ଜନତାର ବିଜୟ.. ବଙ୍ଗଳା ଦଖଲରେ ପିଏମ ମୋଦୀ ଗଦଗଦ, ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ