ରାଉରକେଲା: ଚୋରି କରିବା ପୂର୍ବରୁ ଭଗବାନଙ୍କୁ ହାତ ଯୋଡ଼ି କ୍ଷମା ମାଗିଲା ଚୋର! ପ୍ରଥମେ ପ୍ରଣାମ, ପରେ ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଫେରାର। ରାଉରକେଲାର ଏକ ମନ୍ଦିରରେ ଘଟିଥିବା ଏହି ଅଜବ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ଉଦିତନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ଜୁନ୍ ୧ ତାରିଖ ଭୋର ପ୍ରାୟ ୪ଟା ସମୟରେ ଏହି ଘଟଣା ଘଟିଥିଲା। ସିସିଟିଭି ଫୁଟେଜ ଅନୁସାରେ, ଜଣେ ଯୁବକ ମନ୍ଦିର ପରିସରକୁ ପ୍ରବେଶ କରୁଥିବା ଦେଖାଯାଉଛି। ତାଙ୍କର ଆଚରଣ ଦେଖି ପ୍ରଥମେ ଲାଗୁଥିଲା ସେ ଜଣେ ସାଧାରଣ ଭକ୍ତ। ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ସେ ସିଧା ଅରୁଣ ସ୍ତମ୍ଭ ନିକଟକୁ ଯାଇ ହାତ ଯୋଡ଼ି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରିଥିଲା। ଏତିକି ନୁହେଁ, ପରେ ପରିସର ଭିତରେ ଥିବା ଶିବ ମନ୍ଦିରକୁ ଯାଇ ମୁଣ୍ଡିଆ ମଧ୍ୟ ମାରିଥିଲା।
କିନ୍ତୁ ଏହା ଥିଲା ଗୋଟିଏ ବଡ଼ ନାଟକର ଆରମ୍ଭ। କିଛି ସମୟ ପରେ ଭକ୍ତ ବେଶରେ ଆସିଥିବା ବ୍ୟକ୍ତିର ଆସଲ ଚେହେରା ସାମ୍ନାକୁ ଆସିଥିଲା। ପ୍ରଣାମ ସାରିବା ପରେ ସେ ମନ୍ଦିର ବାହାରେ ରଖାଯାଇଥିବା ଦାନ ବାକ୍ସକୁ ଉଠାଇ ନେଇ ମନ୍ଦିରର ପଛପଟକୁ ଯାଇଥିଲା। ସେଠାରେ ଦାନ ବାକ୍ସକୁ ଭାଙ୍ଗି ଭିତରେ ଥିବା ଟଙ୍କା ନେଇଥିଲା।
ଏତିକିରେ ତା’ର ଲୋଭ ଶେଷ ହୋଇନଥିଲା। ଚୋର ମନ୍ଦିରର ଗର୍ଭଗୃହକୁ ଯାଇଥିବା ଦ୍ୱାର ଭାଙ୍ଗିବାକୁ ଚେଷ୍ଟା କରିଥିଲା। ପରେ ଆଉ ଏକ ଦାନ ବାକ୍ସକୁ ଭାଙ୍ଗି ସେଥିରୁ ମଧ୍ୟ ନଗଦ ଟଙ୍କା ଚୋରି କରି ନେଇଥିଲା। ମନ୍ଦିର ଭିତରେ ଓ ବାହାରେ ଏଭଳି କଳାକନା ବୁଲାଇବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ସକାଳେ ପୂଜକ ମନ୍ଦିରକୁ ଆସି ଭଙ୍ଗା ଦାନ ବାକ୍ସ ଦେଖି ଚମକି ପଡ଼ିଥିଲେ। ପରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଘଟଣାର ସମସ୍ତ ସତ୍ୟ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।
ତେବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଚୋରର ସେହି ଅଜବ ଆଚରଣକୁ ନେଇ। ଚୋରି ପୂର୍ବରୁ ଭଗବାନଙ୍କୁ ପ୍ରଣାମ, କ୍ଷମା ପ୍ରାର୍ଥନା ଓ ଆଶୀର୍ବାଦ ଲୋଡ଼ିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ଆରମ୍ଭ କରିଦେଇଛି।