ବାଲେଶ୍ୱର: ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ଥିଲା। ମନ୍ଦିର ପରିସର ଉତ୍ସବମୁଖର ଥିଲା। ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଗହଳିରେ ଚାଲିଥିଲା ବିବାହର ରୀତିନୀତି। ବର ଓ କନ୍ୟା ବିବାହ ବେଦୀରେ ବସି ସାତ ଜନ୍ମର ସାଥୀ ହେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ହଠାତ୍ ଏମିତି କିଛି ଘଟିଲା, ଯାହା ଉପସ୍ଥିତ ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ବିବାହ ଅଧାରେ ଅଟକିଗଲା ଏବଂ କନ୍ୟାଙ୍କୁ ବେଦୀରେ ଛାଡ଼ି ବର ଚାଲିଗଲେ। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ରାଧାକୃଷ୍ଣ ମନ୍ଦିରରେ ଘଟିଥିବା ଏହି ଅଭାବନୀୟ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ବର କ୍ଷୀରୋଦ ମହାନ୍ତ ଓ କନ୍ୟା ଲାବଣ୍ୟ ସ୍ମିତାଙ୍କ ମଧ୍ୟରେ ଗତ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ଉଭୟ ପରସ୍ପରକୁ ଭଲପାଇ ତିନି ମାସ ହେବ ଘର ଛାଡ଼ି ବାଲେଶ୍ୱର ସହରରେ ଏକ ଭଡ଼ା ଘରେ ରହୁଥିଲେ। ଦୁହେଁଙ୍କ ସହମତିରେ ପୂର୍ବରୁ ରେଜିଷ୍ଟ୍ରି ବିବାହ ମଧ୍ୟ ସମ୍ପନ୍ନ ହୋଇଥିଲା। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରରେ ବିବାହ କରିବାକୁ ଯୋଜନା ହୋଇଥିଲା।
ତେବେ ବିବାହ ଚାଲିଥିବା ସମୟରେ ହଠାତ୍ କିଛି ବ୍ୟକ୍ତି ମନ୍ଦିର ଭିତରକୁ ପଶି ବରଙ୍କୁ ସେଠାରୁ ନେଇଯିବାକୁ ଉଦ୍ୟମ କରିଥିଲେ। ଅଭିଯୋଗ ହେଉଛି, ପରିବାର ଲୋକଙ୍କ ଚାପ ଓ ବୁଝାସୁଝା ପରେ ବରଙ୍କ ମନ ବଦଳିଯାଇଥିଲା। ଫଳରେ ସେ ବିବାହ ବେଦୀ ଛାଡ଼ି ଚାଲିଯାଇଥିଲେ। ଏହି ଘଟଣା ପରେ ମନ୍ଦିର ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ଅନ୍ୟପଟେ କନ୍ୟା ଲାବଣ୍ୟ ସ୍ମିତା ଏବେ ମଧ୍ୟ କ୍ଷୀରୋଦଙ୍କୁ ବିବାହ କରିବାକୁ ଅଡ଼ି ବସିଛନ୍ତି। ତେବେ ବର ପକ୍ଷ ପରିବାର ଏହି ବିବାହକୁ ଗ୍ରହଣ କରିବାକୁ ନାରାଜ ଥିବା ଜଣାପଡ଼ିଛି। ଘଟଣା ପରେ ସହଦେବଖୁଣ୍ଟା ପୋଲିସ ବରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରାଯାଉଥିବା ବେଳେ ପ୍ରକୃତରେ କେଉଁ ପରିସ୍ଥିତିରେ ବର ବିବାହ ବେଦୀ ଛାଡ଼ି ଚାଲିଗଲେ, ତାହାର ଖୋଳତାଡ଼ ଚାଲିଛି।
ପ୍ରେମ, ରେଜିଷ୍ଟ୍ରି ବିବାହ ଓ ଶେଷ ମୁହୂର୍ତ୍ତରେ ବଦଳିଥିବା ନିଷ୍ପତ୍ତିକୁ ନେଇ ଏହି ଘଟଣା ଏବେ ବାଲେଶ୍ୱରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତଦନ୍ତ ପରେ ଏହି ହାଇଡ୍ରାମାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।