ନୂଆଦିଲ୍ଲୀ: ୧୩ ବର୍ଷ ପୂର୍ବର ଏକ ଦୁର୍ଘଟଣା ଏବଂ ଜୀବନବ୍ୟାପୀ ନୀରବତା। ଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଏକ ସଂବେଦନଶୀଳ ଯାତ୍ରା ମଧ୍ୟରେ ଏବେ ୩୨ ବର୍ଷୀୟ ହରିଶ ରାଣା ସବୁଦିନ ପାଇଁ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ମଞ୍ଜୁରୀ ଦେଇଥିଲେ। ଏହାପରେ ପରିବାର ଭାବୁକ ବିଦାୟ ଦେବ ପରେ ତାଙ୍କ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ‘ରାଇଟ୍ ଟୁ ଡାଇ’ ପାଇଁ ସ୍ୱୀକୃତି ଦେବା ପରେ ଡାକ୍ତରୀ ନିୟମାବଳୀ ଅନୁଯାୟୀ ଧୀରେ ଧୀରେ ତାଙ୍କର ଲାଇଫ୍ ସପୋର୍ଟ ସିଷ୍ଟମକୁ ହଟାଯାଇଥିଲା।
ଧୀରେ ଧୀରେ ବନ୍ଦ ହେଲା ଜୀବନ
ପ୍ରଥମେ ଖାଦ୍ୟ ସହାୟତା ବନ୍ଦ କରାଯାଇଥିବା ବେଳେ, ପରେ ପାଣି ସପ୍ଲାଇ ମଧ୍ୟ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧ ସହାୟତାକୁ ମଧ୍ୟ ବନ୍ଦ କରାଯାଇଥିଲା। ଡାକ୍ତରମାନଙ୍କ କହିବା ଅନୁସାରେ, ଏହା ଏକ ପ୍ରକ୍ରିୟା ଯାହା ଧୀରେ ଧୀରେ ଚାଲିଥାଏ, ଯାହାର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ କୌଣସି ବ୍ୟଥା ନ ହେବାକୁ ନିଶ୍ଚିତ କରିବା। ଏହି ସମୟ ମଧ୍ୟରେ, ହରିଶଙ୍କୁ କେବଳ ଯନ୍ତ୍ରଣା ଏବଂ ମାନସିକ କଷ୍ଟ ଦୂର କରିବା ପାଇଁ କିଛି ଔଷଧ ଦିଆଯାଇଥିଲା। ଅନ୍ୟପଟେ ହରିଶ ରାଣାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଭାବୁକ ଓ କଠିନ ସମୟ। ବର୍ଷରୁ ବର୍ଷ ଆଶା ଧରି ରହିଥିବା ପରିବାର ଏବେ ଆଇନଗତ ଓ ଡାକ୍ତରୀ ପ୍ରକ୍ରିୟା ଅନୁଯାୟୀ ଏହି ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି।
ଏମିତି ମୃତ୍ୟୁ ଆଗରୁ ଦେଖିଛନ୍ତି?
ହରିଶ ରାଣା ଭାରତର ପ୍ରଥମ ବ୍ୟକ୍ତି ଥିଲେ ଯିଏ ଇଚ୍ଛାମୃତ୍ୟୁ ପାଇଥିଲେ। ଏହି ଦୁଃଖଦ ଘଟଣା ଘଟିବା ସମୟରେ ହରିଶ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ। ସେ ଚଣ୍ଡିଗଡ଼ର ତାଙ୍କ ପିଜିରେ ତାଙ୍କ ଭଉଣୀଙ୍କ ସହ ଫୋନରେ କଥା ହେଉଥିଲେ, ସେତେବେଳେ ସେ ହଠାତ୍ ଚତୁର୍ଥ ମହଲାରୁ ଖସି ପଡ଼ିଲେ। ତାଙ୍କ ପିଠି ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଲା ଏବଂ ସେ କୋମାକୁ ଚାଲିଗଲେ। ତାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ହରିଶ ପୁଣି ଠିଆ ହୋଇ ପାରିଲେ ନାହିଁ।
“ଜୀବନ ନୁହେଁ, ମୃତ୍ୟୁ ହେଲା ମୁକ୍ତି"
ସୁପ୍ରିମକୋର୍ଟ ତାଙ୍କ ପିତାଙ୍କ ଆବେଦନ ଉପରେ ଶୁଣାଣି କରି ଇଚ୍ଛାମୃତ୍ୟୁକୁ ମଞ୍ଜୁର କରିଥିଲେ। କୋର୍ଟ ତାଙ୍କ ନିଷ୍ପତ୍ତିରେ, ଦିଲ୍ଲୀର ଏମ୍ସକୁ ହରିଶଙ୍କ ଜୀବନ ସହାୟକକୁ ଯୋଜନାବଦ୍ଧ ଭାବରେ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ୱାରା ସେ ସମ୍ମାନର ସହିତ ମୃତ୍ୟୁବରଣ କରିପାରିବେ। ଏମ୍ସକୁ ସ୍ଥାନାନ୍ତରିତ ହେବା ପୂର୍ବରୁ, ବ୍ରହ୍ମା କୁମାରୀ କୋମଲ ତାଙ୍କୁ ତିଳକ ଲଗାଇ ଶାନ୍ତିରେ ଶୋଇବାକୁ କହିଥିଲେ। ଶେଷ ସମୟରେ ସେ ସମସ୍ତଙ୍କୁ କ୍ଷମା ମାଗିବା ସହ କ୍ଷମା କରିଥିବା କୁହାଯାଇଥିଲା। ଏକ ନୀରବ ଜୀବନର ଏହି ଶେଷ ଅଧ୍ୟାୟ ଅନେକଙ୍କୁ ଭାବୁକ କରିଦେଇଛି।