ଭୁବନେଶ୍ୱର: ଓଡ଼ିଶାର ମାଟି ପୁଣିଥରେ ନିଜର ଗୁପ୍ତ ଧନକୁ ଖୋଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହୀରା, ମାଣିକ୍ୟ ଓ ସୁନା ଭଳି ମୂଲ୍ୟବାନ ଖଣିଜ ମିଳିବା ଖବର ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କହିବା ଅନୁଯାୟୀ, ନୂଆପଡା ଜିଲ୍ଲାର କଳମିଦାଦର ଅଞ୍ଚଳରେ ହୀରା ପଥର ଚିହ୍ନଟ ହୋଇଛି। ବର୍ତ୍ତମାନ ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର୍ଯ୍ୟ ଚାଲୁଅଛି।
ଏହାସହ କଳାହାଣ୍ଡି ଜିଲ୍ଲାର ହିଞ୍ଜିଲିବାହାଳ–ଜିଲିଙ୍ଗିବାର ଅଞ୍ଚଳରୁ ମାଣିକ୍ୟ ମିଳିଥିବା ଖବର ଆସିଛି। ଯଦିଓ ରାଜ୍ୟରେ ମୁକ୍ତା ଖଣି ଥିବା ଏବେ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଖଣିଜ ଭଣ୍ଡାର ଏଠିରେ ସେମିତି ସୀମିତ ନୁହେଁ। ଦେବଗଡ଼ର ରେମାଳ ଅଞ୍ଚଳରେ ତାମ୍ବା, ଗ୍ରାଫାଇଟ୍, ନିକେଲ୍ ଓ ସୁନାର ସମ୍ଭାବନା ଦେଖାଯାଇଛି। ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ସୁନା ଓ ତାମ୍ବା ଧାରଣ କରୁଥିବା ପଥର ମିଳିଛି। ବଂଶପାଳ ବ୍ଲକର ଗୋପୁର-ଜଳାଡିହି ଅଞ୍ଚଳରେ ସୁନା ଧାରଣ ପଥରର ଚିହ୍ନଟ ହୋଇଛି। ଏହା ମାଟି ତଳର ଗୁପ୍ତ ସମ୍ପଦର ଏକ ମୂଲ୍ୟବାନ ଉଦାହରଣ।
ଏହି ନୂଆ ଆବିଷ୍କାର ଓଡ଼ିଶାକୁ ଦେଶର ଖଣିଜ ମାନଚିତ୍ରରେ ଆଉ ଶକ୍ତିଶାଳୀ କରିବା ସହ ଭବିଷ୍ୟତରେ ରୋଜଗାର ଓ ଶିଳ୍ପ ଉନ୍ନତିର ଦ୍ୱାର ଖୋଲିପାରେ। ଏହାଦ୍ୱାରା ରାଜ୍ୟରେ ଆର୍ଥିକ ଶକ୍ତି, ରୋଜଗାର ଓ ଶିଳ୍ପ ଉନ୍ନତି ହେବ। ମାଟି ତଳର ଗୁପ୍ତ ଧନ ଓଡ଼ିଶାକୁ ସୁନାରେ ପରିଣତ କରିବା ଆଶା ଆଣିଛି।