ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରେ ଯେଉଁ LPG ପାଇଁ ସାରା ଦେଶରେ ହାହାକାର ପଡ଼ିଛି, ତା’ର କାହାଣୀ ଅତ୍ୟନ୍ତ ରୋଚକ। ଏହି କାହାଣୀ କୌଣସି ବଡ଼ ଗବେଷଣାଗାରରୁ ନୁହେଁ, ବରଂ ଏକ ସାଧାରଣ ଗ୍ୟାରେଜରୁ ଆରମ୍ଭ ହୋଇଥିଲା। ଏହା ୨୦ତମ ଶତାବ୍ଦୀର ପ୍ରାରମ୍ଭିକ ସମୟ ଥିଲା। ସେତେବେଳେ ଆମେରିକାରେ ମୋଟର ଗାଡ଼ି ନୂଆ ନୂଆ ଲୋକପ୍ରିୟ ହେଉଥିଲା। ଏହି ସମୟରେ ଜଣେ କାର୍ ମାଲିକ ଗ୍ୟାରେଜରେ ପହଞ୍ଚିଲେ। ତାଙ୍କର ଅଭିଯୋଗ ସରଳ ଥିଲା, କିନ୍ତୁ ରହସ୍ୟମୟ ମଧ୍ୟ।
ସେ ନିଜ କାର୍ରେ ପେଟ୍ରୋଲ ଭର୍ତ୍ତି କରୁଥିଲେ, କିନ୍ତୁ କିଛି ସମୟ ପରେ ତାଙ୍କୁ ଲାଗୁଥିଲା ଯେ ପେଟ୍ରୋଲ ଖୁବ୍ ଶୀଘ୍ର ଶେଷ ହୋଇଯାଉଛି। ମିଟର ତଳକୁ ଖସୁଥିଲା, କିନ୍ତୁ ଟାଙ୍କିରେ କୌଣସି କଣା ନଥିଲା। କେଉଁଠି ହେଲେ ତରଳ ପେଟ୍ରୋଲ ଟୋପାଏ ବି ପଡ଼ୁଥିବାର ଦେଖାଯାଉ ନଥିଲା। ଗ୍ୟାରେଜ୍ ମାଲିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯଦି ଲିକ୍ ନାହିଁ, ତେବେ ଇନ୍ଧନ ଯାଉଛି କୁଆଡ଼େ?
ସମାଧାନ ନମିଳିବାରୁ ବୈଜ୍ଞାନିକଙ୍କ ପାଖରେ ପହଞ୍ଚିଲେ
ଏହି ବିଚିତ୍ର ସମସ୍ୟା ଜଣେ ଯୁବ ରସାୟନ ବିଜ୍ଞାନୀଙ୍କ ପାଖରେ ପହଞ୍ଚିଲା। ତାଙ୍କ ନାମ ଥିଲା ୱାଲ୍ଟର ଓ. ସ୍ନେଲିଂ । ସେ ପେଟ୍ରୋଲିୟମ ଏବଂ ଜାଳେଣି ସହ ଜଡ଼ିତ ରାସାୟନିକ ଗୁଣଗୁଡ଼ିକର ଅଧ୍ୟୟନ କରୁଥିଲେ। ପ୍ରତ୍ୟେକ ଛୋଟ କଥାକୁ ଗମ୍ଭୀରତାର ସହ ନେବା ତାଙ୍କ ସ୍ୱଭାବରେ ଥିଲା। ସ୍ନେଲିଂ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଗବେଷଣା ଆରମ୍ଭ କଲେ। ସେ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ଯଦି ପେଟ୍ରୋଲ ଗାୟବ ହେଉଛି, ତେବେ ନିଶ୍ଚିତ ଭାବେ ଏହାର କିଛି ରାସାୟନିକ କାରଣ ଥିବ।
ଏହିପରି ହେଲା ଖୁଲାସା
ସେହି ସମୟରେ ପେଟ୍ରୋଲକୁ ସାଧାରଣତଃ ଏକ ସରଳ ତରଳ ଜାଳେଣି ବୋଲି ଧରାଯାଉଥିଲା। ଖୁବ୍ କମ୍ ଲୋକ ଜାଣିଥିଲେ ଯେ ପେଟ୍ରୋଲ ଅନେକ ପ୍ରକାରର ହାଇଡ୍ରୋକାର୍ବନର ମିଶ୍ରଣ। ଏଥିରେ କିଛି ଭାରୀ ଅଣୁ ଥାଏ ତ କିଛି ଅତ୍ୟନ୍ତ ହାଲୁକା। ଏହି ହାଲୁକା ଅଣୁଗୁଡ଼ିକ ସହଜରେ ବାଷ୍ପ ହୋଇ ପବନରେ ଉଡ଼ିଯାଆନ୍ତି। ସ୍ନେଲିଂ ଏହି ଦିଗରେ ନିଜର ଗବେଷଣା ଚଳାଇଲେ। ସେ ପେଟ୍ରୋଲର ନମୁନାଗୁଡ଼ିକୁ ଅଲଗା ଅଲଗା ଭାଗରେ ବିଭକ୍ତ କଲେ। ସେଗୁଡ଼ିକୁ ଗରମ କଲେ, ଥଣ୍ଡା କଲେ, ଚାପ ପରିବର୍ତ୍ତନ କଲେ ଏବଂ ଦେଖିଲେ ଯେ କେଉଁ ଅଂଶ କେଉଁ ତାପମାତ୍ରାରେ ଉଡ଼ିଯାଉଛି।
ତଦନ୍ତ ସମୟରେ ସ୍ନେଲିଂ ଦେଖିଲେ ଯେ ପେଟ୍ରୋଲରେ କିଛି ଅତ୍ୟନ୍ତ ହାଲୁକା ଗ୍ୟାସ୍ ରହିଛି। ଏଥିମଧ୍ୟରେ ପ୍ରମୁଖ ଥିଲା ପ୍ରୋପେନ୍ ଏବଂ ବ୍ୟୁଟେନ୍। ଏହି ଗ୍ୟାସ୍ ଗୁଡ଼ିକ ଖୁବ୍ କମ୍ ତାପମାତ୍ରାରେ ମଧ୍ୟ ବାଷ୍ପ ହୋଇଯାଆନ୍ତି। ଏହା ହିଁ ପେଟ୍ରୋଲରୁ ଅଲଗା ହୋଇ ଉଡ଼ିଯାଉଥିଲା, ଯେଉଁଥିପାଇଁ ପେଟ୍ରୋଲ ଲିକ୍ ହେଉଥିବା ପରି ମନେ ହେଉଥିଲା। ପ୍ରକୃତରେ ତରଳ ନୁହେଁ, ବରଂ ଗ୍ୟାସୀୟ ଅଂଶ ବାହାରି ଯାଉଥିଲା।
ଅଦରକାରୀ ଜିନିଷ ଦୁନିଆର କାମରେ ଆସିଲା
ସେତେବେଳେ ତୈଳ ବିଶୋଧନାଗାରରେ ଏହି ଗ୍ୟାସ୍ଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଉ ନଥିଲା। କଞ୍ଚା ତେଲରୁ କେରୋସିନ, ଡିଜେଲ ଏବଂ ପେଟ୍ରୋଲ ଭଳି ଉତ୍ପାଦକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନାଯାଉଥିଲା। କିନ୍ତୁ ସ୍ନେଲିଂ ଭିନ୍ନ ଭାବରେ ଚିନ୍ତା କଲେ। ସେ ଏହି ଗ୍ୟାସ୍ଗୁଡ଼ିକୁ ସମସ୍ୟା ନୁହେଁ, ବରଂ ଏକ ସମ୍ଭାବନା ଭାବରେ ଦେଖିଲେ।
ସ୍ନେଲିଂ ପରୀକ୍ଷା ମାଧ୍ୟମରେ ପ୍ରମାଣ କଲେ ଯେ, ଯଦି ପ୍ରୋପେନ୍ ଏବଂ ବ୍ୟୁଟେନ୍ ଭଳି ଗ୍ୟାସ୍କୁ ଯଥେଷ୍ଟ ଚାପରେ ରଖାଯାଏ, ତେବେ ସେଗୁଡ଼ିକୁ ତରଳ ରୂପରେ ପରିଣତ କରାଯାଇପାରିବ। ଚାପ ବଢ଼ିଲେ ଗ୍ୟାସର ଅଣୁଗୁଡ଼ିକ ପାଖକୁ ଆସିଯାଆନ୍ତି ଏବଂ ତରଳ ରୂପ ଧାରଣ କରନ୍ତି। ଚାପ କମିବା ମାତ୍ରେ ସେଗୁଡ଼ିକୁ ପୁଣି ଗ୍ୟାସ୍ ପାଲଟି ଯାଆନ୍ତି। ଏହି ନୀତି ଆଗକୁ ଯାଇ LPG ର ଆଧାର ସାଜିଲା।
ନାମ ମିଳିଲା Liquefied Petroleum Gas ଅର୍ଥାତ୍ LPG
ଏହି ଗ୍ୟାସ୍ଗୁଡ଼ିକୁ ଯେତେବେଳେ ଚାପ ପ୍ରୟୋଗ କରି ତରଳ କରାଗଲା, ସେତେବେଳେ ଏହାର ନାମ ଦିଆଗଲା Liquefied Petroleum Gas ବା LPG। ସ୍ନେଲିଂ ଏବଂ ଅନ୍ୟ ଇଞ୍ଜିନିୟରମାନେ ଶକ୍ତ ଧାତୁର ସିଲିଣ୍ଡର ବିକଶିତ କଲେ, ଯାହା ଉଚ୍ଚ ଚାପ ସହ୍ୟ କରିପାରୁଥିଲା। ଏଥିରେ ଭାଲଭ୍ ଲଗାଗଲା ଯାହା ଦ୍ୱାରା ଆବଶ୍ୟକ ସମୟରେ ନିୟନ୍ତ୍ରିତ ପରିମାଣର ଗ୍ୟାସ୍ ବାହାରି ପାରିବ। ଏହିଠାରୁ ହିଁ LPG ସିଲିଣ୍ଡରର ଧାରଣା ଆରମ୍ଭ ହେଲା।
ଶିଳ୍ପରୁ ଆରମ୍ଭ ହୋଇ ଘରେ ଘରେ ପହଞ୍ଚିଲା
ଆରମ୍ଭରୁ LPG ର ବ୍ୟବହାର ଶିଳ୍ପ କାରଖାନାରେ ହେଉଥିଲା। ଧୀରେ ଧୀରେ ଏହାର ଲାଭ ସ୍ପଷ୍ଟ ହେଲା। ଏହା ସଫା ଭାବେ ଜଳୁଥିଲା, ଧୂଆଁ ହେଉ ନଥିଲା ଏବଂ କୋଇଲା କିମ୍ବା କାଠ ତୁଳନାରେ ଏଥିରେ ରୋଷେଇ କରିବା ସହଜ ଥିଲା। ଏହା ମହିଳାମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଲା। ରୋଷେଇ ଘର ସଫା ରହିଲା ଏବଂ ଧୂଆଁ ଯୋଗୁଁ ହେଉଥିବା ରୋଗ ମଧ୍ୟ କମିଗଲା।
ୱାଲ୍ଟର ସ୍ନେଲିଂଙ୍କ ବିଷୟରେ
ୱାଲ୍ଟର ଓ. ସ୍ନେଲିଂଙ୍କ ଜନ୍ମ ୧୮୮୦ ମସିହାରେ ୱାଶିଂଟନ୍ ଡିସିରେ ହୋଇଥିଲା। ପାଖାପାଖି ୧୯୧୦ ମସିହାରେ ତାଙ୍କର ଏହି ଗବେଷଣା ସାମ୍ନାକୁ ଆସିଥିଲା। ୧୯୬୫ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ଏହି ଉଦ୍ଭାବନ ସାରା ବିଶ୍ୱରେ ବ୍ୟାପି ସାରିଥିଲା।
ଏକ ସାଧାରଣ ପ୍ରଶ୍ନ ଏବଂ ଅସାଧାରଣ ପରିଣାମ
ଯଦି ସେଦିନ ସେହି କାର୍ ମାଲିକ ଅଭିଯୋଗ ନେଇ ଆସି ନଥାନ୍ତେ, ତେବେ ହୁଏତ ଏହି ଉଦ୍ଭାବନରେ ବିଳମ୍ବ ହୋଇଥାନ୍ତା। ଏହି କାହାଣୀ ଶିଖାଏ ଯେ ବିଜ୍ଞାନ ପ୍ରାୟତଃ ଜିଜ୍ଞାସାରୁ ଆରମ୍ଭ ହୁଏ। ଆଜି ଯେତେବେଳେ ଆମେ ଗ୍ୟାସ୍ ଚୁଲା ଜଳାଉଛୁ, ସେତେବେଳେ ଆମକୁ କେବଳ ନୀଳ ଶିଖା ଦେଖାଯାଏ, କିନ୍ତୁ ତା’ ପଛରେ ଏକ ଶତାବ୍ଦୀ ପୁରୁଣା ଗବେଷଣା ଲୁଚି ରହିଛି।