ପୁରୀ: ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣା, ଯେଉଁଥିରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ, ସେହି ଘଟଣାକୁ କେନ୍ଦ୍ର କରି ଏବେ ଗୁରୁତର ଦୁର୍ନୀତିର ଅଭିଯୋଗ ଆସିଛି। ତଦନ୍ତ ରିପୋର୍ଟ ଥିବା ସତ୍ତ୍ୱେ ଏହାକୁ ଚାପି ଦେବା ଚେଷ୍ଟା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।
କ୍ୟାମେରା ଥିଲା, କିନ୍ତୁ ଦେଖୁନଥିଲା!ତତ୍କାଳୀନ ଉନ୍ନୟନ ଆୟୁକ୍ତଙ୍କ ଦ୍ୱାରା କୃତ ତଦନ୍ତରେ ପ୍ରକାଶ ପାଇଥିଲା ଯେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୁରୀ ସହରରେ ଲଗାଯାଇଥିବା ୨୭୫ଟି କୃତ୍ରିମ ବୁଦ୍ଧିମତା ସଂଯୁକ୍ତ ସିସିଟିଭି କ୍ୟାମେରା ଘଟଣା ସମୟରେ ସଂପୂର୍ଣ୍ଣ ଅକ୍ରିୟ ଥିଲା। ଏହା ସହିତ, ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ବିଫଳ ହୋଇଥିଲା। ଅଘଟଣ ସମୟରେ ସେଠାରେ ଦାୟିତ୍ୱରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରାୟ ୧୦ କୋଟି ଟଙ୍କାରେ ପୁରୀ ସହରରେ ଲଗାଯାଇଥିବା ୨୭୫ଟି ଏଆଇ ସଂଯୁକ୍ତ ସିସିଟିଭି, ଯାହାକୁ ନିରାପତ୍ତାର ଆଖି ବୋଲି କୁହାଯାଉଥିଲା, ହେଲେ ଘଟଣା ସମୟରେ ଅନ୍ଧ ହୋଇଯାଇଥିଲା। କାରଣ ତଦନ୍ତରୁ ଏହି ଆଶ୍ଚର୍ଯ୍ୟଜନକ ସତ ଏବେ ସାମ୍ନାକୁ ଆସଛି ।
କଣ୍ଟ୍ରୋଲ ରୁମ୍: ନାମରେ ନିୟନ୍ତ୍ରଣ, କାମରେ ଶୂନ୍ୟ!
୧ କୋଟି ଟଙ୍କାରେ ତିଆରି ହୋଇଥିବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଭିଡ଼କୁ ନିୟନ୍ତ୍ରଣ କରିବା ତ ଦୂର, ଅଘଟଣ ସମୟରେ ସେଠାରେ ଅଧିକାରୀ ମଧ୍ୟ ନଥିଲେ। ଏବେ ପ୍ରଶ୍ନ ଉଠୁଛି ତାହାଲେ ଏହି ବ୍ୟବସ୍ଥା କାହା ପାଇଁ?
ନିମ୍ନମାନର ସାମଗ୍ରୀ, ଉଚ୍ଚସ୍ତରର ଦୁର୍ନୀତି?
ତଦନ୍ତ କହୁଛି, ନିମ୍ନମାନର କ୍ୟାମେରା ଲଗାଇ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ବରିଷ୍ଠ ଅଧିକାରୀ ଓ ଠିକାଦାରଙ୍କ ଭୂମିକା ଉପରେ ଉଠିଛି ଗୁରୁତର ଅଭିଯୋଗ।
ରିପୋର୍ଟ ଆସିଲା… କାର୍ଯ୍ୟାନୁଷ୍ଠାନ କେଉଁଠି?
ତଦନ୍ତ ରିପୋର୍ଟରେ ସବୁ ସ୍ପଷ୍ଟ ଥିଲା—ଦାୟିତ୍ୱରେ ଅବହେଳା, ପ୍ରଶାସନିକ ତ୍ରୁଟି, ଦୁର୍ନୀତି। କିନ୍ତୁ ୯ ମାସ ପରେ ମଧ୍ୟ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଏବେ ଯାଏଁ ହୋଇ ନାହିଁ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ।
ଦଣ୍ଡ ବଦଳରେ ପୁରସ୍କାର?
ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିଛି, ସେମାନଙ୍କୁ ଲୋଭନୀୟ ପଦବୀରେ ନିଯୁକ୍ତି ମିଳିଥିବା କଥା ସାମ୍ନାକୁ ଆସୁଛି। ଏହା ଆଉ ଅଧିକ ସନ୍ଦେହକୁ ବଢ଼ାଉଛି ଯେ ସତ୍ୟକୁ ଜାଣିଶୁଣି ଲୁଚାଯାଉଛି କି? ଏହି ପରିସ୍ଥିତିରେ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଗଭୀର ସନ୍ଦେହ ସୃଷ୍ଟି ହୋଇଛି। ସାଧାରଣ ଲୋକ ମଧ୍ୟରେ ପ୍ରଶ୍ନ ଉଠୁଛି—ଯଦି ତଦନ୍ତରେ ଦୁର୍ନୀତି ପ୍ରମାଣିତ, ତେବେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି?
ତେବେ ଏସବୁ ଭିତରେ ଜୀବନ ହାରାଇଥିବା ସେଇ ନିରୀହ ଭକ୍ତଙ୍କ ପାଇଁ ନ୍ୟାୟ କେବେ? ଦୁର୍ନୀତିରେ ଜଡିତ ଲୋକଙ୍କୁ କେବେ ମିଳିବ ଦଣ୍ଡ? କାରଣ ଏହି ଘଟଣା କେବଳ ଗୋଟିଏ ଦଳାଚକଟା ନୁହେଁ…ଏହା ପ୍ରଶାସନିକ ବ୍ୟବସ୍ଥାର ଏକ କଠୋର ପରୀକ୍ଷା, ଯାହାର ଫଳ ଏଯାବତ୍ ଅପେକ୍ଷାରେ ରହିଛି।
ଅଧିକ ପଢନ୍ତୁ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ବିଭ୍ରାଟ; ମୋବାଇଲ ଲାଇଟରେ ହେଲା ରୋଗୀସେବା, ଘଣ୍ଟାଏ କାଳ ଲୋକେ ହଇରାଣ