ଭୁବନେଶ୍ୱର ; ଜଳ ବିନା ଜୀବନ ଅସମ୍ଭବ। ଜୀବନର ପ୍ରତି ମୁହୂର୍ତ୍ତ ଓ ପ୍ରତିଟି ସମୟରେ ଜଳର ଆବଶ୍ୟକତା ରହିଛି। ତେଣୁ ମାନବ ସମାଜ, ଜୀବଜନ୍ତୁ, ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ଆଧାର। ବିଶ୍ବରେ ୭୦ ପ୍ରତିଶତ ଜଳଭାଗ ରହିଥିବା ବେଳେ ସେଥିରୁ କେବଳ ୩ ପ୍ରତିଶତ ମଧୁର ଜଳ ରହିଛି। ୯୭ ପ୍ରତିଶଚ ଜଳ ପାନୀୟ ଉପଯୁକ୍ତ ନୁହେଁ। ବର୍ତ୍ତମାନ ସମଗ୍ର ବିଶ୍ୱ ତିନି ପ୍ରତିଶତ ଜଳ ଉପରେ ନିର୍ଭରଶୀଳ। ତେଣୁ ଜଳର ମହତ୍ଵକୁ ସମଗ୍ର ବିଶ୍ୱରେ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ସାରା ବିଶ୍ୱରେ ପାଳନ କରାଯାଏ।
ବିଶ୍ୱ ଜଳ ଦିବସର ଇତିହାସ:
୧୯୯୨ ମସିହାରେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୨୨ ବିଶ୍ୱ ଜଳ ଦିବସ ରୂପେ ପାଳନ କରିବା ପାଇଁ ପ୍ରଥମେ ସଂକଳ୍ପ କରିଥିଲା। ଏହା ପରେ ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୧୯୯୩ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ବିଶ୍ୱ ଜଳ ଦିବସର ଥିମ ହେଉଛି "ଯେଉଁଠାରେ ଜଳ ପ୍ରବାହିତ ହୁଏ, ସେଠାରେ ସମାନତା ବୃଦ୍ଧି ପାଏ"।
ଶରୀର ପାଇଁ କେତେ ଜରୁରୀ ଜଳ:
ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ। ପାଣି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଶରୀରକୁ ସ୍ୱାସ୍ଥ୍ୟ ବିପଦରୁ ସୁରକ୍ଷିତ ରଖିବା ପାଇଁ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ ୨.୭ ଲିଟର ପାଣି ପିଇବା ଉଚିତ। ଏହି ପରିମାଣରୁ କମ୍ ହେଲେ ଡିହାଇଡ୍ରେସନ ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଦିନରେ ଅତି କମରେ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ।