ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ। ଏଥିରେ ଅତିକମରେ ୬୭ ଜଣଙ୍କ ମୃତ୍ୟୁ ହୋଇଛି। ଗତ କିଛି ସପ୍ତାହ ଭିତରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଗତକାଲିର ଏହି ଆକ୍ରମଣ ସବୁଠୁ ଘାତକ ବୋଲି କୁହାଯାଉଛି। ଉତ୍ତର ଗାଜା ସହରର ଏକ ଲୋକପ୍ରିୟ ବେଳାଭୂମିରେ ଥିବା ଏକ କାଫେରେ ମହିଳା ଏବଂ ପିଲାମାନଙ୍କ ଭିଡ଼ ଜମିଥିବା ବେଳେ ହୋଇଥିଳା ବିସ୍ଫୋରଣ। କାଫେରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖାଦ୍ୟ ସହାୟତା ପାଇବାକୁ ଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଗୁଳିବିନିମୟରେ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ଘଟିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏକ ଲଢ଼ୁଆ ବିମାନ ହଠାତ୍ କୌଣସି ସତର୍କ ସୂଚନା ବିନା ଆକ୍ରମଣ କରିଥିଲା, ଯାହା ଫଳରେ ସେଠାରେ ଭୂମିକମ୍ପ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତର ଗାଜାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜରୁରୀକାଳୀନ ଏବଂ ଆମ୍ବୁଲାନ୍ସ ସେବାର ମୁଖ୍ୟ ଫାରେସ୍ ଆୱାଦ କହିଛନ୍ତି ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ସହ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି । ହସ୍ପିଟାଲ ଅନୁଯାୟୀ, ଗାଜା ସହରର ଏକ ରାସ୍ତାରେ ହୋଇଥିବା ଅନ୍ୟ ଦୁଇଟି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ମୃତାହତ ରେକର୍ଡ କରାଯାଇଛି। ଅଲ୍-ଆକ୍ସା ହସ୍ପିଟାଲ ଅନୁଯାୟୀ, ଜାୱାଇଦା ସହର ନିକଟରେ ଏକ କୋଠା ଉପରେ ଆକ୍ରମଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ଥାନୀୟ ଲୋକଙ୍କ ମତରେ, ଏହି କାଫେ ଯୁଦ୍ଧ ସମୟରେ ମଧ୍ୟ ଖୋଲା ରହିଥିବା କିଛି ସ୍ଥାନ ମଧ୍ୟରୁ ଗୋଟିଏ ଥିଲା। ଲୋକମାନେ ଏଠାକୁ ଇଣ୍ଟରନେଟ୍ ସର୍ଫ କରିବା ଏବଂ ଫୋନ୍ ଚାର୍ଜ କରିବା ପାଇଁ ଆସୁଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକରେ, ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ମୃତଦେହ ଏବଂ ଆହତ ଲୋକଙ୍କୁ କମ୍ବଳରେ ବୁହା ହେଉଥିବାର ଦେଖିବାକୁ ମିଳୁଛି।