ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ରତ୍ନାକର ସାହୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ । ସେଥିପାଇଁ ମିଛ କଥା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହାଁନ୍ତି ବୋଲି ରୋକଠୋକ୍ ମନା କରି ଦେଇଛନ୍ତି ।
ଅତିରିକ୍ତ କମିଶନର ରତ୍ନାକର ସାହୁ କହିଛନ୍ତି, ସ୍ୱଚ୍ଛ ରେବତୀ ରାଉତଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଅଟେ । ପୋଲିସ ତା ହିସାବରେ କାମ କରୁଥିବାବେଳେ ଆଇନ ଉପରେ ଭରସା ଅଛି ବୋଲି କହିଛନ୍ତି କମିଶନର । ଉପରିସ୍ଥ ଅଧିକାରୀଙ୍କ ଠାରୁ ତଳ କର୍ମଚାରୀଙ୍କ ସହଯୋଗ ପାଇଛି । କାମ କରିବାବେଳେ ଏଭଳି ଅଘଟଣ ଘଟେ ଏବଂ ଆଇନ ନ୍ୟାୟ ଦେବ ବୋଲି କହିଛନ୍ତି ଅତିରିକ୍ତ କମିଶନର ।
ରେବତୀ ରାଉତଙ୍କ ଅଭିଯୋଗ
ସ୍ୱଚ୍ଛ ସାଥୀ ରେବତୀ ରାଉତଙ୍କ ବଦଳିକୁ ନେଇ ଏଭଳି ତୁମୁଳକାଣ୍ଡ ହୋଇଛି ବୋଲି ଚର୍ଚ୍ଚା ହେଉଛି । ସ୍ୱଚ୍ଛ ସାଥୀ ରେବତୀ ରାଉତ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କୁ ଆକ୍ରୋଶମୂଳକଭାବେ ୩୪ ନମ୍ବର ୱାର୍ଡର୍ ବିଜେଡ଼ି କର୍ପୋରେଟର୍ ପୁଷ୍ପାଞ୍ଜଳୀ ସେଠୀଙ୍କ ସୁପାରିଶ କ୍ରମେ ରାତାରାତି ବଦଳି କରାଯାଇଛି ବୋଲି ରେବତୀ ରାଉତ ଅଭିଯୋଗ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ବିଏମସି କାର୍ଯ୍ୟାଳୟରେ ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଥିଲା । ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର୍ ଅପରୂପ ନାରାୟଣ ରାଉତ (ଜୀବନ) ଏବଂ ତାଙ୍କ ସମର୍ଥକମାନେ ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ବିଭିନ୍ନ ରାଜନୈତିକ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା । ଏ ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ କରାଯାଇ କର୍ପୋରେଟର୍ ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଛି ।
ସେପଟେ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ରଙ୍କୁ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ।