ଭୁବନେଶ୍ୱର: ସାଇବର ଅପରାଧିଙ୍କ ଟାର୍ଗେଟରେ ପୁରୀ ରଥଯାତ୍ରା । ନକଲି ହୋଟେଲ ୱେବସାଇଟ ମାଧ୍ୟମରେ ସୁଲଭ ମୂଲ୍ୟରେ ରୁମ ଦେବାକୁ କହି ଖାଲି କରିଦେଉଛନ୍ତି ବ୍ୟାଙ୍କ୍ ଆକାଉଣ୍ଟ । ଏହାକୁ ରୋକିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ସଜାଗ ରହିଛି । ଏଯାବତ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ନିଷ୍କ୍ରିୟ କରିବା ପ୍ରକ୍ରିୟା ଆରମ୍ଭ କରି ସାଇବର କ୍ରାଇମ ୟୁନିଟ୍ ।
କ୍ରାଇମବ୍ରାଞ୍ଚ କହିଛି,ସ ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ଚସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍ଗୁଡ଼ିକର ଶିକାର ହେଉଛନ୍ତି । ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍ ପରି ଦୃଶ୍ୟମାନ ହୋଇଥାଏ । ଯାହାଫଳରେ କି, ସାଧାରଣ ଲୋକଟି ପାଇଁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇପଡ଼େ। ଠକମାନେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲର ନକଲି ୱେବ ସାଇଟ୍ ପ୍ରସ୍ତୁତ କରିବା ସହ କମ ଟଙ୍କା, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସିଥାଏ। ଏହି ଠକମାନେ ପ୍ରାୟତଃ ଗୁଗୁଲ୍ ସର୍ଚ୍ଚର ଶୀର୍ଷରେ ନକଲି ୱେବସାଇଟ୍ ରଖନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।
ଲୋକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ କ୍ରାଇମବ୍ରାଞ୍ଚର ଅଫିସିଆଲ୍ ସାଇବର ସୁରକ୍ଷା ପେଜ ମାଧ୍ୟମରେ ଏହି ଠକେଇ ବିଷୟରେ ନିୟମିତ ସତର୍କତା ଏବଂ ସଚେତନତା ବାର୍ତ୍ତା ମଧ୍ୟ ସେୟାର କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ସୁରକ୍ଷା ଟିପ୍ସ ଏବଂ ରିଅଲ୍-ଟାଇମ୍ ଚେତାବନୀ ପାଇଁ ନାଗରିକମାନଙ୍କୁ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ @cybercopodisha କୁ ଅନୁସରଣ କରିବାକୁ ସୂଚନା ପ୍ରଦାନ କରାଯାଇଛି । ୨୨ ଜୁନରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନ ସୁନାବେଶ ପର୍ଯ୍ୟନ୍ତ ଜାରି ରହିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏଯାବତ୍ ୧୫ଟି ୱେବସାଇଟ୍ ପୂର୍ବରୁ ବ୍ଲକ କରାଯାଇଛି ।
ନାଗରିକଙ୍କ ପାଇଁ ସୁରକ୍ଷା ବାର୍ତ୍ତା:
- MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରନ୍ତୁ।
- Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍ଚେକ୍ କରନ୍ତୁ।
- ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ।
- ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।
- ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ।
- ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ।
- ଠକାମିର ଶିକାର ହୋଇଥିବା ଜାଣିଲେ ତୁରନ୍ତ ୧୯୩୦ରେ ରିପୋର୍ଟ କରନ୍ତୁ।