ଭୁବନେଶ୍ୱର: ମାଆ ହେବ ବାଘୁଣୀ ‘ଜିନ୍ନତ’। ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ରହିଛି । ବନ ବିଭାଗକୁ ନାକେଦମ୍ କରି ୩ ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ଜଣାଶୁଣା ମହାବଳ ‘ଟି-୧୨’ ସହ ସହବାସରୁ ଗର୍ଭବତୀ ହୋଇଥିବା ବନ ବିଭାଗ ସୂଚନା ଦେଇଛି।ଜିନତ୍ ଏବେ ଶିମିଳିପାଳ ଜଙ୍ଗଲରେ ରହିଛି।
ସୂଚନା ମୁତାବକ, ସୁଦୂର ମହାରାଷ୍ଟ୍ରରୁ ଆସିଥିବା ଜିନ୍ନତକୁ ଜାନୁଆରୀ ପହିଲାରୁ ଯମୁନାଗଡ଼ସ୍ଥିତ ‘ସ୍ୱତନ୍ତ୍ର ଏନକ୍ଲୋଜର’ରେ ଛଡ଼ାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଦଳ ବାଘୁଣୀର ଗତିବିଧି ଓ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖୁଥିଲେ। ଦେଢ଼ ମାସେ ତଳେ ବାଘୁଣୀକୁ ଏନ୍କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି। ଏହାପରେ ବାଘୁଣୀଟି ଯମୁନାଗଡ଼ଠାରୁ ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଛି। ତେବେ ଜିନତ ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହୋଇନାହିଁ କି ଅନ୍ୟ ରାଜ୍ୟ ସୀମା ଡେଇଁନାହିଁ। ୨୫-୩୦ ବର୍ଗକିମି ଇଲାକାକୁ ଜିନ୍ନତ ନିଜର ଭାବେ ବାଛି ନେଇଛି ।
ଜିନତ ସହ ସହବାସ କରିଥିବା ବାଘ ଟି-୧୨’ ହେଉଛି ମେଲାନିଷ୍ଟିକ୍ ପ୍ରଜାତିର ମହାବଳ। ବୟସ ପାଖାପାଖି ୧୧ ବର୍ଷ ହେବ । ଜଙ୍ଗଲର କିଛି ମାଈ ବାଘ ସହ ସହବାସ ହୋଇଛି। ମହାବଳଟିର ପିଲା ସଂଖ୍ୟା ୮ରୁ ଅଧିକ ହେବ । ଗତବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରୁ ଆସିଥିବା ଅନ୍ୟ ଏକ ବାଘୁଣୀ ଯମୁନା ପ୍ରେମରେ ପଡି଼ଥିଲା ଟି-୧୨ । ଯମୁନାକୁ ରଖାଯାଇଥିବା କବାଟଘାଇ ସେକ୍ସନର ଯମୁନାଗଡ଼ ଏନ୍କ୍ଲୋଜର ଚାରିପାଖେ ଢେର କିଛି ଦିନ ରହିଥିଲା।