ପୁରୀ: ରଥଯାତ୍ରା ପରେ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନବେଳେ ଅଘଟଣ ଘଟିବା ପରେ ପୁରୀରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରା ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତ କରି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚା ଦିନରେ ହୋଇଥିବା ତ୍ରୁଟି ଯେପରି ଆଗାମୀ ଦିନରେ ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ନିଆଯାଇଥିବା ବୈଠକରେ ପରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରିବିଜେ ପରି 3ଟି ବଡ଼ ପର୍ବ ଆସୁଛି । ଏଥିରେ ପ୍ରବଳ ଭକ୍ତଙ୍କ ସମାଗମ ସହିତ ଭିଡ଼ ମଧ୍ୟ ହେବ । ଆଗାମୀ ଉତ୍ସବକୁ ଶୃଙ୍ଖଳାର ସହ ଶେଷ ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁ ତ୍ରୁଟି ହୋଇଛି ତାହା କିପରି ପୁନରାବୃତ୍ତି ନ ହେବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡ଼ ହେବ, ଯେତେ ଲୋକ ଆସିଲେ ବି ସୁପରିଚାଳନା କରାଯିବ ।
ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ଯାନାବାହାନ ପ୍ରବେଶ ନିୟମରେ କିଛିଟା ସଂଶୋଧନ କରାଯାଇଛି । କର୍ଡନ ପାସ୍ ହ୍ରାସ କରାଯାଇ ଅତ୍ୟାବଶ୍ୟକୀୟ ନନ୍ ଟ୍ରାନ୍ସଫରେବଲ୍ ପାସ୍ ଇସ୍ୟୁ ହେବ । ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବ । ଅନଧିକୃତ ଗାଡ଼ିକୁ ଭିଡ଼ ମଧ୍ୟରେ ପ୍ରବେଶକୁ ନିଷେଧ କରାଯିବ ।
ପରିଶେଷରେ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ସବୁକିଛି ସଠିକ ଢଙ୍ଗରେ ପରିଚାଳନା ହେବ । ତେଣୁ ସମର୍ପଣ ଭାବ ନେଇ ନିଜ ନିଜର ଦାୟିତ୍ୱ ନିର୍ବାହ ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ ଓ ସେବାୟତଙ୍କୁ ପରାମର୍ଶ ଦେଇଛନ୍ତି ।
ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର, ପୁରୀ ବିଧାୟକ, ଜିଲ୍ଲାପାଳ ଚଞ୍ଜଳ ରାଣା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ସେବାୟତ ଓ ବିଭିନ୍ନ ନିଯୋଗ ପ୍ରମୁଖ ଉପସ୍ଥିତ ଥିଲେ ।