ଭୁୁବନେଶ୍ୱର: ଗୋଟିଏ ପଟେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳଚକଟା ଘଟଣା ପୂରା ଓଡିଶାକୁ ବ୍ୟଥିତ କରିଥିବା ବେଳେ ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତି କମିଶନରଙ୍କୁ ଅଫିସରୁ ଘୋଷାଡି ଘୋଷାଡି ମାଡ ମାରିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିର ପାରା ଚରମରେ ପହଞ୍ଚିଛି । ଏହି ଘଟଣାରେ ସରକାରୀ ଦଳ ବିଜେପିର ନେତା ଜଗନ୍ନାଥ ପ୍ରଧାନଙ୍କ ହାତ ଥିବା ମୁଖ୍ୟ ବିରୋଧୀ ଦଳ ଅଭିଯୋଗ କରିଛି । ଏହା ମଧ୍ୟରେ ମୁହଁ ଖୋଲିଛନ୍ତି ଜଗନ୍ନାଥ ପ୍ରଧାନ । ସେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ଜଗନ୍ନାଥ ପ୍ରଧାନ କହିଛନ୍ତି, ମୋତେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ । ଜଣେ ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ କରିଥିଲି । ମୋତେ ତମେ କିଏ, କାହିଁକି ପଚାରୁଛ କହି ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ବୋଲି ଲେଖିଥିଲି । କେବଳ ଏତିକି ନୁହେଁ ୩୪ ନଂ ୱାର୍ଡର ସ୍ୱଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ ।
ଜଗନ୍ନାଥ କହିଛନ୍ତି, କାହିଁକି ବିଜେପି ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ । ସ୍ୱଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ମଧ୍ୟ ଏତଲା କରିଛନ୍ତି । ଆଉ ଯେତବେଳେ ମୁଁ ଏକଥା ଫୋନରେ ପଚାରିଲି, ତମେ କିଏ ବୋଲି ଅତିରିକ୍ତ କମିଶନର ପ୍ରଶ୍ନ କରିଥିଲେ । ଏ ନେଇ ମୁଁ ମଧ୍ୟ ପୂର୍ବରୁ କମିଶନରଙ୍କୁ ଜଣାଇ ସାରିଛି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଅନ୍ୟପଟେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସ୍ୱଚ୍ଛ ସାଥୀ ରେବତୀ ରାଉତ । ସେ କହିଛନ୍ତି, ମୋତେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିଲେ । ମୋଦୀଙ୍କ ରାଲିକୁ କାହିଁକି ଲୋକ ନେଉଛ । ଏମିତି କଲେ ଚାକିରି ଚାଲିଯିବ ବୋଲି କହୁଥିଲେ । ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ୱାମୀଙ୍କ ଜରିଆରେ ମୋତେ ଧମକାଉଥିଲେ । କର୍ପୋରେଟରଙ୍କ ସ୍ୱାମୀଙ୍କ ସହ ସାଲିସ କରିବାକୁ ବାଧ୍ୟ କରୁଥିଲେ । ମୁଁ ବିଜେପି ରାଲିକୁ ୬୦ରୁ ୭୦ ଲୋକ ନେଇ କି ଯିବାରୁ ରାଗୁଥିଲେ । ମୁଁ ଏ ବାବଦରେ ଜଗା ଭାଇଙ୍କୁ ଦେଖା କରି ଫେରାଦ ହୋଇଥିଲି । ଜଗା ଭାଇ ଫୋନ କରିବାରୁ ରତ୍ନାକର ସାର ତାଙ୍କୁ ଖରାପ ବ୍ୟବହାର କରିଥିଲେ । ଆମକୁ ନ୍ୟାୟ ନ ମିଳିଲେ ଧାରଣା ଦେବୁ ବୋଲି କହିଛନ୍ତି ଆଉ ଜଣେ ସ୍ୱଚ୍ଛ ସାଥୀ ।
ସୂଚନାଯୋଗ୍ୟ, ଗତକାଲି ୫ରୁ ୬ ଜଣ ଅଜଣା ଦୁର୍ବୃତ୍ତ ବିଏମସି କାର୍ଯ୍ୟାଳୟରେ ପଶି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରି ତଳେ ପକାଇ ଘୋଷାରି ଘୋଷାରି ନେଉଥିବାର ବିଚଳିତ କରିଦେବା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏମିତି ଅମାନୁଷିକକାଣ୍ଡକୁ ନେଇ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଓଏଏସ ସଂଘ ମଧ୍ୟ ଗତକାଲି ରାସ୍ତାକୁ ଓହ୍ଲାଇ ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ଶାସ୍ତି ଦାବି କରିଥିଲେ । ଏହି ଘଟଣାକୁ ନେଇ ଏବେ ମୁହାଁମୁହିଁ ବିଜେପି ଓ ବିଜେଡି ।