ବେଙ୍ଗାଲୁରୁ: ଆଇପିଏଲ ବିଜେତା ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ଉତ୍ସବବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ମାମଲାରେ ଟ୍ରିବ୍ୟୁନାଲର ରିପୋର୍ଟ ଆସିଛି । ସମ୍ପୂର୍ଣ୍ଣ ଘଟଣା ପାଇଁ ଆରସିବିକୁ ଦାୟୀ କରିଛି ଟ୍ରିବ୍ୟୁନାଲ । ଆରସିବି ବିଜୟ ଉତ୍ସବ ପାଇଁ ପୋଲିସଠାରୁ କୌଣସି ପୂର୍ବ ଅନୁମତି ନେଇନଥିଲା । ପୋଲିସମାନେ ମଧ୍ୟ ମଣିଷ, ସେମାନଙ୍କ ପାଖରେ ଆଲାଦିନର ଦୀପ ନାହିଁ, ଯାହା ସାହାଯ୍ୟରେ ସେମାନେ ଏକା ଥରକେ ସମସ୍ତ ବ୍ୟବସ୍ଥା କରିପାରିବେ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।
ଟ୍ରିବ୍ୟୁନାଲ୍ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଆରସିବି ପୋଲିସ ଅନୁମତି ବିନା ସୋସିଆଲ ମିଡିଆରେ ବିଜୟ ଶୋଭାଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ପୋଷ୍ଟ କରିଥିଲା । ଯାହା ଯୋଗୁଁ ଏକ ବିଶାଳ ସମାବେଶ ହୋଇଥିଲା । ପୋଲିସ ପାଖରେ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟାପ୍ତ ସମୟ ନ ଥିଲା । ପୋଲିସ ମାତ୍ର ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବ ବୋଲି ଆଶା କରାଯାଇ ପାରିବ ନାହିଁ।
ସେହିପରି ଏହି ମାମଲାରେ ନିଲମ୍ବିତ ହୋଇଥିବା ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଟ୍ରିବ୍ୟୁନାଲ୍ ତାଙ୍କ ନିଲମ୍ବନକୁ ବାତିଲ କରି କହିଛନ୍ତି ଯେ ତାଙ୍କ ନିଲମ୍ବନ ଅବଧିକୁ ସେବାର ଅଂଶ ଭାବରେ ବିବେଚନା କରାଯିବା ଉଚିତ । ବିକାଶ କୁମାର ସେତେବେଳେ ବେଙ୍ଗାଲୁରୁର ପଶ୍ଚିମ ଜୋନର ଅତିରିକ୍ତ କମିଶନର ଏବଂ ଚିନ୍ନାସ୍ୱାମୀ ଷ୍ଟାଡିୟମର ଦାୟିତ୍ୱରେ ଥିଲେ ।
ସେହିପରି ଅନ୍ୟ ଦୁଇ ବରିଷ୍ଠ ଅଧିକାରୀ ଯଥା ତତ୍କାଳୀନ ବେଙ୍ଗାଲୁରୁ ପୋଲିସ କମିଶନର ବି ଦୟାନନ୍ଦ ଏବଂ ଡିସିପି ଶେଖର ଏଚ୍ ଟେକ୍କାନ୍ନଭରଙ୍କ ନିଲମ୍ବନ ଉପରେ ପୁନର୍ବିଚାର କରିବାକୁ ଟ୍ରିବ୍ୟୁନାଲ କର୍ଣ୍ଣାଟକ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପୋଲିସ ଅଧିକାରୀମାନଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ପର୍ଯ୍ୟାପ୍ତ ପ୍ରମାଣ ଉପରେ ଆଧାରିତ ନୁହେଁ। ନିଷ୍ପତ୍ତି ସମୟରେ, ଏହି ଅଧିକାରୀଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରମାଣ କରିବା ପାଇଁ କୌଣସି ଦୃଢ଼ କିମ୍ବା ଠୋସ୍ ଆଧାର ନଥିଲା। ତଥାପି, ସରକାର ଚାହିଁଲେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆୟୋଜିତ ଆରସିବି ସମ୍ବର୍ଦ୍ଧନା ଉତ୍ସବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ଦଳାଚକଟାରେ ଜଣେ ନାବାଳିକା ସହିତ ୧୧ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଜୁନ୍ ୯ ତାରିଖରେ କର୍ଣ୍ଣାଟକ ସରକାର ୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ ।