ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ବିଷ ବଳୟରୁ ରକ୍ଷା କରିବାକୁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସହରରେ ପ୍ରଦୂଷଣ ହାର କମ୍ କରିବାକୁ ପୁରୁଣା ଗାଡ଼ି ଉପରେ କଟକଣା ଜାରି କରିଛନ୍ତି ରେଖା ସରକାର । ଜୁଲାଇ ପହିଲାରୁ ଦିଲ୍ଲୀରେ ଆଉ ଦେଖିବାକୁ ମିଳିବନି ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡ଼ି । କାରଣ ଆଜିଠାରୁ ପୁରୁଣା ଗାଡ଼ିରେ ଆଉ ତେଲ ଭରିବାକୁ ଅନୁମତି ମିଳିବ ନାହିଁ ।
ଦିଲ୍ଲୀରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ପେଟ୍ରୋଲ ଏବଂ ୧୦ ବର୍ଷରୁ ଉର୍ଦ୍ଧ୍ୱ ଡିଜେଲ ଗାଡ଼ିଗୁ଼ଡ଼ିକୁ ସରକାର ବନ୍ଦ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଏଣ୍ଡ୍ ଅଫ୍ ଲାଇଫ୍ ଭେହିକିଲ (ଇଓଏଲ୍) ବା ଯେଉଁ ଯାନଗୁଡ଼ିକର ସମୟ ସୀମା ଶେଷ ହୋଇଯାଇଥିବ ସେହି ଯାନଗୁଡ଼ିକ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ରାସ୍ତା ଉପରେ ପୁରୁଣା କାରକୁ ଦେଖିବାକୁ ମିଳେ ତେବେ ୧୦,୦୦୦ ଟଙ୍କା ଜରିମାନା ଭରଣ କରିବାକୁ ପଡ଼ିବ । ସେହି ପରିପ୍ରେକ୍ଷୀରେ ଦୁଇ ଚକିଆ ଯାନ ପାଇଁ ୫୦୦୦ ଟଙ୍କା ଜରିମାନା ରାଶି ଧାର୍ଯ୍ୟ କରାଯାଇଛି ।
ସରକାରଙ୍କ ପକ୍ଷରୁ ୩୫୦ ପେଟ୍ରୋଲ ପମ୍ପରେ କଡ଼ାକଡ଼ି ବ୍ୟବସ୍ଥା ହୋଇଛି । ସବୁଠାରୁ ଅଧିକ ଗହଳି ହେଉଥିବା ୧୦୦ ପେଟ୍ରୋଲ ପମ୍ପରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ୫୯ଟି ପମ୍ପରେ ପରିବହନ ବିଭାଗ ଅଧିକାରୀ ଯାଞ୍ଚ କରିବେ । ଏହା ସହିତ ସମ୍ବେଦନଶୀଳ ଥିବା ୯୧ଟି ପେଟ୍ରୋଲ ପମ୍ପରେ ଉଭୟ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଟିମ୍ ନିୟୋଜିତ ହୋଇଛନ୍ତି । ସେହିପରି ୧୦୦ଟି ପମ୍ପରେ ଦିଲ୍ଲୀ ମହାନଗର ନିଗମର କର୍ମଚାରୀ ଯାଞ୍ଚ କରିବେ ।
ବାହାନ (VAHAAN) ରିପୋର୍ଟ ଅନୁସାରେ ଦିଲ୍ଲୀରେ ବର୍ତ୍ତମାନ ୬୨ ଲକ୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡ଼ି ରହିଛି । ଯେଉଁଗୁଡ଼ିକ ଇଓଏଲ୍ ବର୍ଗରେ ଆସୁଛି । ଯେଉଁଥିରେ ୪୧ ଲକ୍ଷ ଦୁଇ ଚକିଆ ଏବଂ ୧୮ ଲକ୍ଷ ଚାରି ଚକିଆ ଯାନ ଅନ୍ତର୍ଭୁକ୍ତ ଅଟେ । ଖାଲି ସେତିକି ନୁହେଁ ଦିଲ୍ଲୀ ସୀମାକୁ ଲାଗି ରହିଥିବା ରାଜ୍ୟ ହରିୟାଣାରେ ୨୭. ୫ ଲକ୍ଷ, ଉତ୍ତର ପ୍ରଦେଶରେ ୧୨.୪ ଲକ୍ଷ ଏବଂ ରାଜସ୍ଥାନରେ ୬.୧ ଲକ୍ଷ ଏପରି ଗାଡ଼ି ସାମିଲ ଅଛି ।