ନୂଆଦିଲ୍ଲୀ: ଭାରତରେ ରହି ଯିଏ ଦେଶ ବିରୁଦ୍ଧରେ ଯିବ ତାକୁ କ୍ଷମା ନାହିଁ । ପାକିସ୍ତାନ ପ୍ରତି ଅହେତୁକ ପ୍ରେମ ଦେଖାଇବା ଜଣେ ବରିଷ୍ଠ ନାଗରିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମେଟାରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖିଥିବା ଆବେଦନକାରୀଙ୍କ ଉପରେ ଶକ୍ତ ହୋଇଛନ୍ତି ଆହ୍ଲାବାଦ ଉଚ୍ଚ ନ୍ୟାୟଳୟ । ଯାଚିକାକର୍ତ୍ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ଅଦାଲତ ।
ଆହ୍ଲାବାଦ ହାଇକୋର୍ଟର ବିଚାରପତି ସିଦ୍ଧାର୍ଥ, ପାକିସ୍ତାନ ଜିନ୍ଦାବାଦ ଲେଖିଥିବା ୬୨ ବର୍ଷୀୟ ବୃଦ୍ଧ ଅଂସାର ଅହମ୍ମଦ ସିଦ୍ଦକୀଙ୍କର ଜାମିନ ଆବେଦନର ଶୁଣାଣି କରିଛନ୍ତି । ସମ୍ପୃକ୍ତ ଆବେଦନକାରୀଙ୍କୁ ବିଚାରପତିଙ୍କ କଡ଼ା ଭର୍ତ୍ସନାର ସମ୍ମୁଖୀନ ହେବାକୁ ପଡ଼ିଛି । ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ନ୍ୟାୟପାଳିକାର ସହନଶୀଳତା ନିକଟରେ ଏଭଳି ମାମଲା ବୃଦ୍ଧି ହେଉଛି । ଦେଶରେ ଏଭଳି ଅପରାଧ ସାଧାରଣ କଥା ହୋଇଯାଇଛି । ଯାଚିକାକର୍ତ୍ତାଙ୍କ ଏଭଳି କାମ ସ୍ପଷ୍ଟ ଭାବରେ ସମ୍ବିଧାନର ଅପମାନ ଅଟେ । ବିରୋଧୀଙ୍କୁ (ପାକିସ୍ତାନ) ଖୁସି କରିବାକୁ ଏଭଳି ପୋଷ୍ଟ କରିବା ଦେଶର ଅଖଣ୍ଡତାକୁ ଅତ୍ୟନ୍ତ ଗଭୀରତାର ସହିତ ପ୍ରଭାବିତ କରିବ ।
କୋର୍ଟ କହିଛନ୍ତି, ଆବେଦନକାରୀ ଜଣେ ବରିଷ୍ଠ ନାଗରିକ ଅଟନ୍ତି । ତାଙ୍କର ବୟସରୁ ଜଣାପଡ଼ଛି ସେ ସ୍ୱାଧୀନ ଭାରତରେ ଜନ୍ମ ହୋଇଛନ୍ତି । ତେଣୁ ଏଭଳି ଦାୟିତ୍ୱହୀନ ଏବଂ ରାଷ୍ଟ୍ର ବିରୋଧୀ ଆଚରଣ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ସ୍ୱାଧୀନତା ଅଧିକାରର ସୁରକ୍ଷା ପାଇଁ ଯୋଗ୍ୟ ମନେ କରୁ ନାହିଁ ।
ଜାମିନ ଆବେଦନକୁ ଖାରଜ କରିବା ସହିତ ନିମ୍ନ ଅଦାଲତରେ ଆବେଦନକାରୀଙ୍କ ବିରୋଧରେ ମାମଲାର ଶୁଣାଣି ଯଥାଶୀଘ୍ର ସମାପ୍ତ କରାଯିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଂସାର ଅହମଦ ସିଦ୍ଦକୀ ପହଲଗାମ ଆକ୍ରମଣ ପରେ ଏପରି ସମ୍ବେଦନହୀନ ପୋଷ୍ଟ କରିଥିଲେ । ତେଣୁ ସେ ଜାମିନ ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ସରକାରୀ ପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ ।
ଉତ୍ତର ପ୍ରଦେଶର ଛତରୀ ଥାନାରେ ଅଂସାର ଅହମଦ ସିଦ୍ଦକୀଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୯୭ (ଜାତୀୟ ଏକତାକୁ କ୍ଷୁର୍ଣ୍ଣ କରିବା), ୧୫୨ (ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଇବା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା ।