ଛତିଶଗଡ଼ର ସୁରଜଗୁଜା ଅଞ୍ଚଳରେ ରହୁଥିବା ୨ ଭାଇ ସାଇକେଲରେ ୧୨ ଜ୍ୟୋତିର୍ଲିଙ୍ଗ ଓ ୪ ଧାମକୁ ଯାତ୍ରା କରି ନିଆରା ଅନୁଭୂତି ସାଉଁଟିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ୨ ଭାଇ ସେମାନଙ୍କ ପୂରା ଯାତ୍ରା ସାଇକେଲରେ ହିଁ କରିଛନ୍ତି। ଦୃଢ ଇଚ୍ଛା ଶକ୍ତି ଏବଂ ଅଦ୍ୟମ ସାହାସ ବଳରେ ସେମାନେ ନିଜ ଯାତ୍ରା ପୂରା କରିବାରେ ସକ୍ଷମ ହୋଇପାରିଛନ୍ତି। ଛତିଶଗଡ଼ର ୨ଭାଇ ଧନେଶ୍ୱର ଯାଦବ ଓ ପ୍ରବୀଣ ଯାଦବ ହେଉଛନ୍ତି ସମ୍ପର୍କୀୟ ଭାଇ। ଜଣେ ମାମୁଁ ପୁଅ ଓ ଅନ୍ୟ ଜଣେ ପିଉସି ପୁଅ। ତେବେ ଏହି ୨ ଭାଇ ସ୍ଥିର କଲେ ୧୨ଟି ଜ୍ୟୋତିର୍ଲିଙ୍ଗ ଓ ଉତ୍ତରାଖଣ୍ଡର ୪ ଧାମ ଦର୍ଶନ କରିବାକୁ । ଆଉ ଏହି ଯାତ୍ରା ପାଇଁ ସେମାନେ ବସ୍ କିମ୍ବା କାର ନୁହେଁ ବରଂ ସାଇକେଲ ଧରି ବାହାରିଥିଲେ।
କିପରି ଆରମ୍ଭ କରିଥିଲେ ଏହି ଯାତ୍ରା:
ଦୁଇ ଭାଇ ଗତବର୍ଷ ୨୦୨୪ ମସିହା ୨୯ ସେପ୍ଟେମ୍ବର ମାସରେ ଏହି ଯାତ୍ରା ଆରମ୍ଭ କରିଥିଲେ । ସେମାନେ ଦୀର୍ଘ ୯ ମାସ ଧରି ଏହି ଯାତ୍ରା କରି ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ । ପରିଶେଷରେ ସେମାନେ ଅମରକଣ୍ଟକ ଠାରେ ନିଜର ଯାତ୍ରାକୁ ସମାପ୍ତ କରି ସୁରଜଗୁଜାରେ ପହଞ୍ଚିଥିଲେ ।
ସାଇକେଲରେ ୯ ମାସରେ ୧୩ ରାଜ୍ୟ ଭ୍ରମଣ :
ପ୍ରବୀଣ କୁମାର କହିଛନ୍ତି ଯେ, ସେ ସାଇକେଲରେ ୯ ମାସ ମଧ୍ୟରେ ୧୩ଟି ରାଜ୍ୟ ଭ୍ରମଣ କରିଛନ୍ତି । ସେଠାରେ ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଧରଣର ଲୋକଙ୍କ ସହ ମିଶିବାର ସୁଯୋଗ ପାଇଥିଲେ । ଏହା ସହିତ ସେମାନେ ନେପାଳ ବୁଲିବାକୁ ମଧ୍ୟ ସୁଯୋଗ ପାଇଥିଲେ । ୧୨ଟି ଜ୍ୟୋତିର୍ଲିଙ୍ଗ ସହ ଅନ୍ୟାନ୍ୟ ଧାର୍ମିକ ସ୍ଥଳ ଓ ଶକ୍ତି ପୀଠ ଭ୍ରମଣ କରିଛନ୍ତି ।
କେଉଁ କେଉଁ ସ୍ଥାନ ବୁଲିଲେ:
ଦୁଇ ଭାଇ ସାଇକେଲରେ ଯାତ୍ରା କରି ଓମକାରେଶ୍ବର, ବାବା ମହାକାଳ, ରାମେଶ୍ବରମ, କାଶି ବିଶ୍ବନାଥ, ନାଗେଶ୍ବର, ଦ୍ୱାରକାଧିଶ, ସୋମନାଥ, ମଲ୍ଲିକାର୍ଜୁନ, ତିରୁପତି ବାଲାଜୀ, ଭୀମାଶଙ୍କର, ଗିର୍ଦ୍ଦେଶ୍ବର, ଜଗନ୍ନାଥ ପୁରୀ, ବାବା ବୈଦ୍ୟନାଥ ଦେଓଘର, ଅଯୋଧ୍ୟା, ଋଷିକେଶ, କେଦାରନାଥ, ବଦ୍ରିନାଥ, ନୀମ କରୋଲି ବାବା, ପଶୁପତିନାଥ (ନେପାଳ), ବିନ୍ଧ୍ୟାଞ୍ଚଳ ଓ ପରିଶେଷରେ ଅମରକଣ୍ଟକ ଆଦି ସ୍ଥାନ ଗୁଡିକୁ ଭ୍ରମଣ କରିଥିଲେ ।
ତେବେ ନିଜ ଯାତ୍ରା ସମ୍ପର୍କା ୨ ଭାଇ କହିଛନ୍ତି, ‘ଏପରି ତୀର୍ଥଯାତ୍ରାରେ ଯିବା ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଯୋଜନା କରୁଥିଲେ’ । ପ୍ରକୃତିର ସୌନ୍ଦର୍ଯ୍ୟଭରା ଦୃଶ୍ୟ ଗୁଡିକୁ ନିଜ ସାଇକେଲ ଯାତ୍ରାରେ ଖୁବ ମନଭରି ଉପଭୋଗ କରିବା ସହିତ ଦେଶର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ଓ ନୂତନ ଲୋକଙ୍କୁ ଭେଟିବା ପାଇଁ ଯୋଜନା କରିଥିଲେ । ବାବାଙ୍କ କୃପାରୁ ସମସ୍ତଙ୍କ ଠାରୁ ସହାୟତା ପାଇବା ସହିତ ଏହି ଯାତ୍ରା ଶେଷ କରିବାରେ ସଫଳ ହୋଇଛନ୍ତି । ସାଇକେଲରେ ତୀର୍ଥଯାତ୍ରା ସମ୍ପନ୍ନ କରିବାରେ ସେମାନେ ବିରଳ ରେକର୍ଡ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।