BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦରେ ଛୁଟିରେ ଗଲେ OAS, ORS ଅଫିସର । ୮ ଜିଲ୍ଲାର OAS, ORS ଅଫିସର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି । ଏହି ସବୁ ଜିଲ୍ଲା ଗୁଡିକ ହେଲା କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ ବୋଲି OAS, ORS ଅଫିସର ମାନେ ଦାବି ରଖିଛନ୍ତି ।
ଅନ୍ୟପଟେ BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଥିଲେ । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଥିଲେ ।
ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ଚାରି ରୁ ଛଅ ଜଣ ଯୁବକ ମରାଣାତ୍ମକ ଆକ୍ରମଣ ହୋଇଛି । ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଘୋଷାଡ଼ି ବାହାରକୁ ଆଣି ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଅଫିସର ରତ୍ନାକର ଖାରବେଳ ନଗର ଥାନାରେ ଏକ ଏଫଆଇଆର ଦେଇଛନ୍ତି । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଏହି ଘଟଣାରେ ବିଜେପି ରାଜ୍ୟ ସଭାପତି ୫ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ।