ଭୁବନେଶ୍ୱର: ପୁଣି ଓଡ଼ିଶା ଆସିବେ ମହାମହିମ । ଆସନ୍ତା ୧୪ ଓ ୧୫ ତାରିଖ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ୨ ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ମହାମହିମ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୧୪ରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହିତ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବା ସହିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ।
ଗତ ମାର୍ଚ୍ଚ ୨୪ ତାରିଖରେ ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନରେ ଯାଇଥିଲେ । ସେଠାରେ ରାଷ୍ଟ୍ରପତି ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ମଧ୍ୟ କରିଥିଲେ।