ଯାଜପୁର: ବିଗତ ଦିନରେ ରାଜ୍ୟରେ ଡାଇରିଆ ଓ ହଇଜା ସଂକ୍ରମଣର ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । ଯାହା ଜିଲ୍ଲା ପରେ ଜିଲ୍ଲା ବ୍ୟାପିବାରେ ଲାଗିଥିଲା । ଯାଜପୁର ଜିଲ୍ଲାରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲାର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ଆଜିଠୁ ପୁଣି ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ ଷ୍ଟ୍ରିଟ ଫୁଡ଼ ଦୋକାନ ଖୋଲିଛି । ଫୁଡ଼ ସେଫଟି ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ନିୟମାବଳୀ ମାନି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଯିଏ ବି ଉକ୍ତ ନିୟମକୁ ଉଲ୍ଲଂଘନ କରିବ ତାହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସ୍ୱଛତାକୁ ବଜାଇ ରଖିବା ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରି ଖାଇବା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଜିଲ୍ଲାରେ ପ୍ରାୟ ଦୁଇ ସପ୍ତାହ ଧରି ଖାଇବା ଦୋକାନ ଗୁଡ଼ିକ ବନ୍ଦ ରହିଥିଲା । ଯାହା ଫଳରେ ଜିଲ୍ଲାବାସୀ ଓ ଯାତ୍ରୀମାନେ ଖାଇବା ପାଇଁ ହଇରାଣ ହେଉଥିଲେ । ବର୍ତ୍ତମାନ ସ୍ୱଛତାକୁ ଦୃଷ୍ଟିରେ ରଖି ଖାଇବା ପ୍ରସ୍ତୁତ କରାଯିବ।