ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଓଏଏସ୍ ସଂଘ । ଓଏଏସ୍ ସଂଘର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ.ବି ଖୁରାନିଆ ଆଲୋଚନା କରିଥିଲେ । ଯଦି ଏହି ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଆଯିବ ତେବେ ଓଏଏସ୍ ସଂଘ ସାମୂହିକ ଛୁଟି ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଲୋଚନା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଓଏଏସ୍ ସଂଘ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା ।
ସୂଚନା ଯୋଗ୍ୟ, ଗତକାଲି ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ଅତିରିକ୍ତ କମିଶନରଙ୍କୁ ପଶି ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣ ଘଟଣା ପରେ ବିଏମସିର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ଜନପଥ ସମ୍ପୂର୍ଣ୍ଣ ଯାମ ହୋଇଥିଲା । ଯାତ୍ରୀମାନେ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାରେ ଏତଲା ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।