ପୁରୀ: ମହାପ୍ରଭୁ ଜଗନ୍ନାଥ ବିଶ୍ୱ ନିୟନ୍ତା । ତାଙ୍କ ନିର୍ଦ୍ଦେଶ ଅନୁସାରେ ସାରା ସଂସାର ପରିଚାଳିତ । ତାଙ୍କ ବିନା ନିର୍ଦ୍ଦେଶରେ ଗଛରୁ ପତ୍ରଟିଏ ବି ପତ୍ର ଝଡା ଦିଏନି । ସାଧାରଣ ମଣିଷର ଯେପରି ଦୈନିକ ସାଧାରଣ ଜୀବନଚର୍ଯ୍ୟା ଥାଏ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ତାହା ମଧ୍ୟ ହୋଇଥାଏ । ଆମେ ଯେପରି ପ୍ରତିଦିନ ସକାଳୁ ଉଠି ଦାନ୍ତଘଷି ଗାଧୋଇ ଲୁଗା ପିନ୍ଧିଥାଆନ୍ତି, ମହାପ୍ରଭୁ ସେପରି ମଧ୍ୟ ଦୈନିକ ତାଙ୍କର ପୋଷାକ ପରିବର୍ତ୍ତନ କରିଥାଆନ୍ତି । ଆମେ ଯେପରି ବୁଲି ଯାଉ ମହାପ୍ରଭୁ ମଧ୍ୟ ଶ୍ରୀମନ୍ଦିର ବାହାରକୁ ବୁଲି ବାହାରନ୍ତି । ସେ ପରା ଭାବର ଠାକୁର, କୋଟି ଓଡ଼ିଆଙ୍କ ମଣିମା । ତାଙ୍କ ଯାତ ଘୋଷଯାତ୍ରା, ଦାଣ୍ଡ ବଡଦାଣ୍ଡ, ଦେଉଳ ବଡ ଦେଉଳ । ତାଙ୍କର ରୀତିନୀତି ଓ ପରମ୍ପରା ସତରେ ଭାରି ଅନନ୍ୟ ।
ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରତ୍ନବେଦୀ ଛାଡି ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀଙ୍କୁ ଯାଇଛନ୍ତି ମହାପ୍ରଭୁ । ଏଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ମା' ଲକ୍ଷ୍ମୀ ଠାକୁରାଣୀ । ରାଗ ଜର୍ଜରିତ ହୋଇ ମା' ଲକ୍ଷ୍ମୀ ଆଜି ଗୋପନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଉଭା ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି ।
ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି । ତେବେ ପତି-ପତ୍ନୀଙ୍କର ରାଗ-ରୁଷା, ମାନ ଅଭିମାନ ସହିତ ଅପୂର୍ବ ପ୍ରେମ ଭାବନା ଏହି ହେରାପଞ୍ଚମୀ ଓ ଦକ୍ଷିଣ ମୋଡ଼ ଦିନରେ ଦେଖାଯାଇଥାଏ ।
ଗୁଣ୍ଡିଚା ମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ କିଛି ଅଙ୍ଗଲାଗି ଫୁଲ ଆଣି ସେବାୟତ ମହାଲକ୍ଷ୍ମୀଙ୍କୁ ଅର୍ପଣ କରିଥାନ୍ତି । ତାପରେ ବଡ଼ଦାଣ୍ଡ ବାଟେ ଆଉ ନଯାଇ ମହାଲକ୍ଷ୍ମୀ ରାସ୍ତାର ପଛପଟ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଯାଆନ୍ତି ଲକ୍ଷ୍ମୀସାଆନ୍ତାଣୀ । ଲକ୍ଷ୍ମୀ ସାଆନ୍ତାଣୀ ଭାବନ୍ତି ମୋ ସ୍ୱାମୀ ଟିକେ ବୁଲିବାକୁ ଯାଇଛନ୍ତି, କାହିଁକି ରଥଟା ମୁଁ ଭାଙ୍ଗିଲି । ଖୁବ୍ ଲଜ୍ଜା ଅନୁଭବ କରି ଲୁଚି ଲୁଛି ହେରାଗୋହରୀ ସାହି ବାଟେ ଚାଲିଯାଆନ୍ତି ଶ୍ରୀମନ୍ଦିରକୁ ଏବଂ ସ୍ୱାମୀଙ୍କ ଅପେକ୍ଷାରେ ରହନ୍ତି । କିନ୍ତୁ ଅଭିମାନ, ବିରହ ବେଦନା ପତ୍ନୀଙ୍କର ଯାଇନଥାଏ । ପତି-ପତ୍ନୀଙ୍କର ରାଗ-ରୁଷା, ମାନ ଅଭିମାନ ସହିତ ଅପୂର୍ବ ପ୍ରେମ ଭାବନା ଏହି ହେରାପଞ୍ଚମୀ ଓ ଦକ୍ଷିଣ ମୋଡ଼ ଦିନରେ ଦେଖାଯାଇଥାଏ । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ । ସତରେ ଆମ କାଳିଆ ଠାକୁରଙ୍କର ନୀତିକାନ୍ତି ସ୍ୱତନ୍ତ୍ର ।