ଭୁବନେଶ୍ୱର: ଆଜିକାଲିକା ଯୁବପିଢୀ ଏବେ ସମସ୍ତେ ଅନଲାଇନ୍ ଗେମରେ ମାତିଛନ୍ତି । ଗାଁ ହେଉ ଅବା ସହର ସବୁଠି ଯୁବପିଢୀ ଏବେ ଅନଲାଇନ୍ ଗେମ୍ ଖେଳୁଥିବା ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଅନଲାଇନ୍ ଗେମ୍ ଖେଳି ଟଙ୍କା ହାରିବା ପରେ ସେମାନେ ମାନସିକ ଅବସାଦକୁ ପଳାଇ ଯାଉଛନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆପଣାଇ ନେଉଛନ୍ତି । ଏକ ସର୍ଭେରୁ ଏହା ସ୍ପଷ୍ଟ ହେବା ପରେ ପୋଲିସ ଏବେ ଯୁବପିଢୀଙ୍କୁ ସଚେତନ କରିଛି । କୌଣସି ଗେମ୍ରେ ଟଙ୍କା ରୋଜଗାର କରିବା ଆଶାରେ ଟଙ୍କା ନ ଲଗାଇବାକୁ ପରାମର୍ଶ ଦେଇଛି ।
ରାତାରାତି ଧନୀ ହେବା ଲୋଭରେ ଅନଲାଇନରେ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ଯୁବପିଢୀ । ଏବେ ଅନଲାଇନ ଗେମ୍ ବିଷମ ପରିସ୍ଥିତି ସୃଷ୍ଟି କରୁଛି । ଅନଲାଇନ୍ ଗେମରେ ଅନେକ ଯୁବକ ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇପଡୁଥିବାବେଳେ ଗତ ଏପ୍ରିଲ ୧୨ ତାରିଖ ଶନିବାର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ୧୭ ଲକ୍ଷ ଟଙ୍କା ହରାଇଛନ୍ତି। ଅନଲାଇନ୍ ଗେମ୍ ଖେଳି ଟଙ୍କା ରୋଜଗାର କରିବ ବୋଲି ଭାବିଥିଲେ । ପ୍ରଥମେ ପ୍ରଥମେ କିଛି ଟଙ୍କା ମିଳିଥିଲା । ହେଲେ ଏହାପରେ ଧୀରେ ଧୀରେ ସେ ହାରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର ରାଜୁ ବାରିକ ଏଭଳି ଠକାମୀର ଶିକାର ହୋଇଛନ୍ତି। ସେ ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ସାଇବର୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
ଗତବର୍ଷ ନଭେମ୍ବର ମାସରେ ପୁରୀ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେଣୁ ଅନଲାଇନ ଗେମ୍ ଉପରେ ନିୟନ୍ତ୍ରଣ ନରହିଲେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ମନୋଜ ବାରିକ ମଧ୍ୟ ଗେମ୍ ଖେଳି ସର୍ବସ୍ଵ ହରାଇଛନ୍ତି। ବିୟୁଟି ପାର୍ଲର କରି ସଞ୍ଚୟ କରିଥିବା ଟଙ୍କା ଅନଲାଇନ ଗେମ୍ ଖେଳି ହରାଇଛନ୍ତି । ରାଗରେ ନିଜ ଦାମୀ ମୋବାଇଲ ପୋନ୍ ଭାଙ୍ଗି ଦେଇଥିଲେ ମନୋଜ ।
ମିଳିଥିବା ତଥ୍ୟ ଅନୁସାରେ ଗତ ୪ବର୍ଷରେ ଅନଲାଇନ୍ ଗେମ ଖେଳି ୧୨୦ ଜଣ ଯୁବକ ଆତ୍ମହତ୍ୟା କଲେଣି। ବର୍ତ୍ତମାନ ଯେଉଁଭଳି ଭାବେ ଯୁବପିଢି ଗେମ୍ ଖେଳୁଛନ୍ତି ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ବରିଷ୍ଠ ବ୍ୟକ୍ତିମାନେ ଆଶଙ୍କା କରୁଛନ୍ତି । ବିଶେଷ କରି ଅନଲାଇନରେ ଅଭିନେତାଙ୍କ ବିଜ୍ଞାପନ ଦେଖ୍ ଯୁବପିଢ଼ି ଓ କୋମଳମତି ପିଲାମାନେ ଲୋଭରେ ପଡୁଛନ୍ତି । ୟୁ-ଟ୍ୟୁବର ଏବଂ ଇନଷ୍ଟାଗ୍ରାମରେ ଏକାଧିକ ବ୍ୟକ୍ତି ଟଙ୍କା ନେଇ ଗେମ୍ ଖେଳିବାକୁ ଯୁବ ପିଢିଙ୍କୁ କହୁଛନ୍ତି। ଘରେ ବସି ଟଙ୍କା ରୋଜଗାର କରିବା ଲୋଭରେ ଯୁବପିଢି ଲକ୍ଷାଧିକ ଟଙ୍କା ହରାଇ ସର୍ବସ୍ୱାନ୍ତ ହେଉଛନ୍ତି । ଶେଷରେ କିଛି ଉପାୟ ନପାଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏବେଠୁ ଏଥିପ୍ରତି ସର୍ତକ ନ ରହିଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ଏବଂ ଏହି ଅବସାଦ ଜନିତ ଆତ୍ମହତ୍ୟା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି ।