ପୁରୀ: ରତ୍ନବେଦୀ ଛାଡ଼ି ଏବେ ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ସକାଳ ଧୂପ । ପ୍ରଥମ ଦିନରେ ସକାଳ ଧୂପରେ ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା । ଯାହାକୁ ଟିକେ ପାଇବା ପରେ ଆତ୍ମ ବିଭୋର ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ । ଶ୍ରଦ୍ଧାଳୁମାନେ କିପରି ସୁରୁଖୁରେ ଏବଂ ସୁଲଭ ମୂଲ୍ୟରେ ଆଡ଼ପ ଅବଢ଼ା ପାଇ ପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।
କୁହାଯାଏ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି କୋଟି ଜନ୍ମର ପୂଣ୍ୟ ମିଳେ ବୋଲି କୁହାଯାଇଥାଏ । ଶ୍ରୀଜୀଉ ଆଡ଼ପ ମଣ୍ଡପରେ ଥିବାବେଳେ ଯେଉଁ ମହାପ୍ରସାଦ ଲାଗି ହୋଇଥାଏ ତାହାକୁ ଆଡ଼ପ ଅବଢ଼ା ବୋଲି କୁହାଯାଏ ।
ସେପଟେ ଆଜି ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ରାତି ୯ରୁ ରାତି ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।