ଅନୁଗୁଳ/ମୟୁରଭଞ୍ଜ: ଆଜି ଗୋଟିଏ ଦିନରେ ତିନି ତିନି ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି । ସେମାନେ ହେଲେ କଣିହା ବ୍ଲକ୍ ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରା ଏବଂ ମୟୁରଭଞ୍ଜ ଜିଲ୍ଲାର ଦୁଇ ଅବସରପ୍ରାପ୍ତ ପୂର୍ବତନ ସହାୟକ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ମୋହନ ନାଏକ ଓ ରଘୁନାଥ କର ।
ସୂଚନାନୁସାରେ, ଅନୁଗୁଳ ଜିଲ୍ଲା କଣିହା ବ୍ଲକ୍ ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନାରେ ଦଣ୍ଡିତ କରିଛନ୍ତି । ୪୩ ହଜାର ଟଙ୍କ ଲାଞ୍ଚ ନେବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କେ. ଅଏଲ ବଣ୍ଟନର ପ୍ରମାଣପତ୍ରରେ ଦସ୍ତଖତ କରିବା ଏବଂ ତାଙ୍କ ସପକ୍ଷରେ ରିଲିଜ୍ ଅର୍ଡର ଜାରି କରିବା ପାଇଁ କେ. ଅଏଲର ଜଣେ ସବ-ହୋଲ୍ ବିକ୍ରେତାଙ୍କଠାରୁ ୪୩,୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ନେବା ମାମଲାରେ ଚାର୍ଜସିଟ୍ କରାଯାଇଥିଲା । ତାଙ୍କୁ ମାନ୍ୟବର ଅନୁଗୁଳ ଭିଜିଲାନ୍ସ ଶାଖାର ସ୍ୱତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଅଭିଯୁକ୍ତ ବବିଲତା ବେହେରାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଭିଜିଲାନ୍ସ ଆବେଦନ କରିବ ।
ଅନ୍ୟପକ୍ଷରେ ମୟୂରଭଞ୍ଜ କପ୍ତିପଦା ବ୍ଲକ ପୂର୍ବତନ ସହାୟକ ମତ୍ସ୍ୟ ଅଧିକାରୀ ଅବସରପ୍ରାପ୍ତ ସୁରେନ୍ଦ୍ର ମୋହନ ନାଏକ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପୂର୍ବତନ ସହାୟକ ମତ୍ସ୍ୟ ଅଧିକାରୀ ରଘୁନାଥ କରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । "ବହୁମୁଖୀ କୃଷି ପୋଖରୀ ଯୋଜନା" ଅଧୀନରେ ହିତାଧିକାରୀଙ୍କ ଦସ୍ତଖତ ଜାଲିଆତି କରି ସରକାରୀ ଟଙ୍କା ଆତ୍ମସାତ କରିବା ମାମଲାରେ ପାଇଁ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଦୁଇ ପୂର୍ବତନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ ।
ଭିଜିଲାନ୍ସ ବର୍ତ୍ତମାନ ଅବସରପ୍ରାପ୍ତ ସୁରେନ୍ଦ୍ର ମୋହନ ନାଏକ ଏବଂ ଅବସରପ୍ରାପ୍ତ ରଘୁନାଥ କରଙ୍କ ପେନସନ ବନ୍ଦ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କର ନିକଟରେ ଆବେଦନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।