ଭୁବନେଶ୍ୱର : ରବିବାର ନନ୍ଦନକାନନରେ ୭ ଆନାକୋଣ୍ଡା ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସୃପ ଉଦ୍ୟାନର ୪୫ନମ୍ବର ଖୁଆଡ଼ରେ ଥିବା ହଳଦିଆ ରଙ୍ଗର ମାଈ ଆନାକୋଣ୍ଡା ରବିବାର ୭ ସାପ ଶାବକ ଜନ୍ମ ଦେଇଛି। ପୂର୍ବରୁ ଓୟୁଏଟି ବିଶେଷଜ୍ଞ ଓ ନନ୍ଦନକାନନ ଚିକିତ୍ସକଙ୍କ ମିଳିତ ସହଯୋଗରେ ମା’ ଆନାକୋଣ୍ଡାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ପରୀକ୍ଷା ବେଳେ ତା’ ଭିତରେ ଛୁଆ ରହିଥିବା ଜଣାପଡ଼ିଥିଲା। ପ୍ରସବ ବିଳମ୍ବ ହୋଇଥିବାରୁ ଶୀଘ୍ର ପ୍ରସବ ନିମନ୍ତେ ତାକୁ ଅକ୍ସିଟୋକିନ ଇଞ୍ଜେକ୍ସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ସେ ପର୍ଯ୍ୟାୟକ୍ରମେ ୭ ଶାବକଙ୍କୁ ଜନ୍ମ ଦେଇଥିବା ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଏହି ୭ଶାବକ ସହ ମା’ ଆନାକୋଣ୍ଡା ସୁସ୍ଥଥିବା ଜଣାପଡ଼ିଛି। ଏହି ଶାବକମାନେ ଜନ୍ମ ହେବାପରେ ନନ୍ଦନକାନନ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ପ୍ରାଣୀଉଦ୍ୟାନରେ ଆଉ ଏକ ମାଈ ଆନାକୋଣ୍ଡା ସାପ ଖୁବ୍ଶୀଘ୍ର ମା’ ହେବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି।ଯାହା ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର।
ସୂଚନା ଯୋଗ୍ୟ ୨୨ ଅକ୍ଟୋବର ୨୦୧୯ ମସିହାରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ଆନାକୋଣ୍ଡା ସାପଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟନକୁ ଅଣାଯାଇଥିଲା। ବିଶେଷକରି ୮ଟି ଅନାକୋଣ୍ଡା ଆସିଥିଲେ। ତେବେ ଏଠାକାର ଜଳବାୟୁ ସହ ଖାପ ଖୁଆଇ ନ ପାରିବାରୁ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରିଥିଲେ। ଏଭଳି ଆସିବାର କିଛି ଦିନ ମଧ୍ୟରେ ଘଟିଥିଲା। ଯାହା ଫଳରେ ପାଖାପାଖି ୩-୪ ଟି ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପଟେ ନନ୍ଦନକାନନରେ ଶେଷ ଥର ପାଇଁ ପ୍ରଜନନ ହୋଇଥିଲା ୨୦୨୨ ମସିହା ଜୁଲାଇ ମାସରେ। ଏଥିରେ 3ଟି ଛୁଆ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଦୁଇଟି ଛୁଆଙ୍କ ମୃତ୍ୟୁ ହୋଇଥିଲା। ଯାହା ଫଳରେ ଚେନ୍ନାଇରୁ ଏକ ବିଶେଷାଜ୍ଞ ଟିମ୍ ତାହାର ତଦାରାଖ କରିଥିଲା।ଏହାକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ବର୍ତ୍ତମାନ ଦୁଇଟି ବୟସ୍କ ପୁରୁଷ ଅନାକୋଣ୍ଡା, ଦୁଇଟି ବୟସ୍କ ମାଈ ଏବଂ ଦଶଟି ଛୋଟ ହଳଦିଆ ଅନାକୋଣ୍ଡା ଅଛନ୍ତି।