ଭୁବନେଶ୍ୱର: ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟରେ ପଶି ଆକ୍ରମଣ ଘଟଣା। ଜନଶୁଣାଣୀ ବେଳେ ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଖାରବେଳନଗର ଥାନା ପୋଲିସ କହିଛି, ‘ଅତିରିକ୍ତ କମିସନରଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି’।
ସୂଚନା ମୁତାବିକ, ଆଜି (ସୋମବାର) ବିଏମସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ। ଏତିକିବେଳେ ହଠାତ୍ ୫ରୁ ୬ ଜଣ ବ୍ୟକ୍ତି ଆସି ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କୁ ଘୋଷାଡ଼ି ଆକ୍ରମଣ କରିଥିଲେ। ଏହି ଘଟଣାକୁ ବିରୋଧ କରି ବିଏମସିର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଯାହାଫଳରେ ରାଜରାସ୍ତାରେ ପ୍ରବଳ ଜାମ୍ ଦେଖିବାକୁ ମିଳିଛି। ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସ୍ୱତେ ବି କର୍ମଚାରୀଙ୍କ ଏହି ଧାରଣା ଯୋଗୁଁ ସାଧାରଣ ଜନତା ଯାତାୟତରେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।