କେନ୍ଦ୍ରାପଡ଼ା: ୪ ଦିନ ପରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା କେନ୍ଦ୍ରାପଡ଼ାର ଆରାଧ୍ୟାୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ଦୀର୍ଘ ୩ ଦିନ ହେଲା ରଥ ଲାଗୁପାରୁନଥିଲା । ଆଜି(ସୋମବାର) ଚତୁର୍ଥ ଦିନରେ ଗୁଣ୍ଡିଚା ମନ୍ଦିରରେ ଲାଗିଛି ରଥ । ଗତ ୩ ଦିନ ହେଲା ରଥ ବାରମ୍ବାର ବାମ ମୋଡ଼ ନେଉଥିବାରୁ ଏଭଳି ସମସ୍ୟା ଉପୁଜିଥିଲା । ଗତକାଲି ମଧ୍ୟାହ୍ନ ୧୨ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ପ୍ରାୟ ୩୦୦ ମିଟର ଗଡ଼ିବା ପରେ ପୁନଃ ବାମ ମୋଡ଼ ନେବାରୁ ଅପରାହ୍ନରେ ଜାଗ୍ ଲଗାଯାଇ ଡାହାଣକୁ ଅଣାଯାଇଥିଲା ।ଏହାପରେ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ରଥ ଚନ୍ଦନ ପୋଖରୀ ନିକଟରେ ଉତ୍ତର ପାର୍ଶ୍ଵକୁ ଯାଇ ଫୁଟପାଥ ଉପରେ ମାଡିଯିବାରୁ ପୁଣି ଜାଗ୍ ଆବଶ୍ୟକତା ପଡିବା ଓ ସୂର୍ଯ୍ୟାସ୍ତ ହୋଇ ଯାଇଥିବା କାରଣରୁ ରଥଟଣା ବନ୍ଦ କରାଯାଇଥିଲା ।
ପୂର୍ବରୁ ଦୁଇଥର ଏଭଳି ଘଟଣା ହୋଇଛି :
ଗତ ୨୦୨୨ ମସିହାରେ ରଥଟଣା ବେଳେ ପ୍ରଥମେ ଏଭଳି ଘଟଣା ଘଟିଥିଲା । ରଥ ବାମ ମୋଡ଼ ନେବାରୁ ପ୍ରଶାସନକୁ ଖୁବ ନୟାନ୍ତ ହେବାକୁ ପଡିଥିଲା । ତତ୍କାଳୀନ ଜିଲ୍ଲାପାଳ ଅମ୍ରିତ ଋତୁରାଜ ରେଳ ବିଭାଗର ସହାୟତା ନେଇ ୫ଦିନରେ ମାଉସୀ ମା' ମନ୍ଦିରରେ ପହଞ୍ଚାଇଥିଲେ ରଥ । ୨୦୨୩ ମସିହାରେ ରଥଟଣା ଶୃଙ୍ଖଳିତ ହୋଇଥିବା ବେଳେ ଗତବର୍ଷ ଅର୍ଥାତ ୨୦୨୪ ମସିହାରେ ଘଟଣାର ପୁନରାବୃତ୍ତି ଘଟିଥିଲା । ରଥଟଣା କାର୍ଯ୍ୟ ଶେଷ କରିବାକୁ ଗତବର୍ଷ ରେଲୱେ ଜଗ୍ ସହାୟତା ନେଇ ମଧ୍ୟ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପାଇଁ ୪ ଦିନ ସମୟ ଲାଗିଥିଲା । ତେବେ ଚଳିତବର୍ଷ ମଧ୍ୟ ଏହି ଘଟଣା ପୁଣିଥରେ ଦେଖିବାକୁ ମିଳିଛି । ୪ ଦିନରେ ଗୁଣ୍ଡିଚା ମନ୍ଦିରରେ ଲାଗିଛି ବଳଭଦ୍ରଙ୍କ ରଥ ।
ଚଳିତବର୍ଷ ତିଆରି ହୋଇଛି ଚାରି ନୂଆ ଚକ :
ଗତବର୍ଷ ଘଟଣାକୁ ବିଚାରକୁ ନେଇ ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ରଥ ନିର୍ମାଣ କାମ ଆରମ୍ଭ ହେଉଥିବା ବେଳେ ଚଳିତବର୍ଷ ଅକ୍ଷୟ ତୃତୀୟା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସବୁବର୍ଷ ଦୁଇଟି ନୂଆ ଚକ ଓ ଗୋଟିଏ ନୂଆ ଅଖ ନିର୍ମାଣ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ ଚାରୋଟି ନୂଆ ଚକ ଓ ଦୁଇଟି ନୂଆ ଅଖ ତିଆରି କରାଯାଇ ନେତ୍ରୋତ୍ସବ ପୂର୍ବରୁ ଦେବୋତ୍ତର ବିଭାଗକୁ ରଥ ହସ୍ତାନ୍ତର କରିଥିଲେ ବିଶ୍ଵକର୍ମା ସେବାୟତ ବା ମହାରଣା ସେବାୟତ ।