ଭୁବନେଶ୍ୱର ମହାନଗର ନିଗମ ଅଫିସରେ ମାରପିଟ୍ । ଅଫିସ୍ ଭିତରେ ପଶି କମିସନରଙ୍କୁ ମାଡ଼ ମାରିଥିବା ଅଭିଯୋଗ। ଆଜି (ସୋମବାର) ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍ ଭିତରେ ପଶି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ କାମ ବନ୍ଦ କରି ଧାରଣାରେ ବସିଛନ୍ତି ବିଏମ୍ସି କର୍ମଚାରୀ ।
ଘଟଣା ମୁତାବିକ ଆଜି ବିଏମସି ଅଫିସରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ। ଏତିକିବେଳେ ହଠାତ୍ ୫ରୁ ୬ ଜଣ ବ୍ୟକ୍ତି ଆସି ଅତିରିକ୍ତ କମିଶନରଙ୍କ ଚାମ୍ବର ଭିତରେ ପଶି ତାଙ୍କୁ ମାଡ ମାରିଥିଲେ। ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି।
ଘଟଣା ପରେ ଆକ୍ରମଣକାରୀ ଚିହ୍ନଟ ହୋଇସାରିଥିବା କହିଛନ୍ତି ବିଏମସି କମିସନର ରାଜେଶ ପାଟିଲ । ଏନେଇ ସେ ପୋଲିସ କମିସନରଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେପଟେ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ସିସିଟିଭି କ୍ୟାମେରା ଥାଇ କିଭଳି ଦୁବୃର୍ତ ଏପରି ସାହାସ କଲେ । ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଛି ।