ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଇନ୍ତି। ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ଫଳରେ ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି ।
ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି । ପୁଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଗାଡିଘୋଡା ଠାରୁ ଆରମ୍ଭ କରି ଦୋକାନ ବଜାର ପ୍ରାୟ ସବୁ ବନ୍ଦ୍ ରହିଛି। ଜିଲ୍ଲାରୁ ବ୍ଲକ, ରାଜଧାନୀ ରାସ୍ତାରେ ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ ନେତା। ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ବନ୍ଦ ବେଳେ ଯେମିତି କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ ଏହି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଛି – ୦୬୭୪୨୫୪୩୫୪୧ । ତେବେ ବନ୍ଦ ପାଇଁ ବନ୍ଦ ବେଳେ ଅସୁବିଧା ଭୋଗିଲେ ଏହି ନମ୍ବରରେ ଜଣାଇବା ପାଇଁ କହିଛି କମିସନରେଟ ପୋଲିସ ।