ବ୍ରହ୍ମପୁର: ବ୍ରହ୍ମପୁର ସହରର ପୁଷ୍ପାଞ୍ଜଳି ଗେଷ୍ଟହାଉସରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ମାମଲାରେ ଛାତିଥରା ତଥ୍ୟ ସାମ୍ନାକୁ ଆସିଛି । ପ୍ରେମିକା ପ୍ରିୟା କୁମାରୀ ମହାରଣାକୁ ୨୦ରୁ ଅଧିକ ଥର ଛୁରୀ ଭୁଷିଥିଲା ବୋଲି ପ୍ରେମିକ ଅଭୟ ମହାରଣା ପୋଲିସ ଆଗରେ ସ୍ୱୀକାର କରିଛି ।
ପ୍ରିୟା ଏବଂ ଅଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପ୍ରିୟା ଏକ ଘରୋଇ ମେଡ଼ିକାଲରେ ଚାକିରି କରୁଥିବାବେଳେ ୪ ମାସ ହେବ ଅଭୟଙ୍କ ନିକଟରେ ଚାକିରି ନଥିଲା । ଏଣୁ ପ୍ରିୟା ଆଉ ତାଙ୍କୁ ବିବାହ କରିବ କି ନାହିଁ ସେହି ସନ୍ଦେହରେ “ମୋର ନୁହଁ ତ କାହାର ନୁହଁ” ଫର୍ମୁଲା ଆପଣାଇଥିଲା ଅଭୟ । ଗତକାଲି ଉଭୟ ଗେଷ୍ଟ ହାଉସରେ ଯାଇ ରହିଥିବାବେଳେ ଅଭୟ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା । ଆଜି ଅଭିଯୁକ୍ତ ଅଭୟକୁ ପୋଲିସ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା । ଏହି ସମୟରେ ଅଭୟ ୨୦ ଥର ଛୁରୀ ମାରିଥିବା ସ୍ୱୀକାର କରିଛି । ଅନ୍ୟପକ୍ଷରେ ପ୍ରିୟାର ମୃତ ଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପ୍ରିୟା ଏବଂ ଅଭୟ ଗତକାଲି ଦିନ ୧୧ଟା ୪୫ ସମୟରେ ପୁଷ୍ପାଞ୍ଜଳି ଗେଷ୍ଟହାଉସକୁ ଯାଇଥିଲେ । ଏହା ପରେ ଅପରାହ୍ନ ୩ଟା ସମୟରେ ଅଭୟ ଲଜରୁ ବାହାରି ଯାଇଥିଲେ । ଅଭୟର ବାମ ହାତରେ ଆଘାତ ଲାଗିଥିଲା । ଏହା ପରେ ସେ ସିଟି ହସ୍ପିଟାଲ ଯାଇ ଚିକିତ୍ସା କରିବା ପରେ ଗୋସାଇଁ ନୂଆଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା ।