କଟକ: ଭାଇଚାରା ସହରରେ ଗଣ୍ଡଗୋଳ ଯୋଗୁ ଏବେ ଜୀବନ ଭୟରେ କଟୁଛି। ୩୬ ଘଣ୍ଟା ପାଇଁ କର୍ଫ୍ୟୁ ବଳବତ୍ତର ରହିଥିବାବେଳେ ଧୀରେ ଧୀରେ ଅଶାନ୍ତ ହୋଇପଡିଥିବା କଟକ ଶାନ୍ତ ହେଉଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କଟକ ଗଣ୍ଡଗୋଳ ଘଟଣାରେ ଏଯାବତ ୮ଜଣଙ୍କୁ ଗିରଫ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ। ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି। ୩ଟି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୁଲିସ। ବିନା ଅନୁମତିରେ ଶୋଭାଯାତ୍ରା ବହାର କରିବା, ବେଆଇନ ଭାବେ ସହର ପରିକ୍ରମା କରି ଏକାଠି ହେବା, ପୁଲିସ ଉପରେ ଆକ୍ରମଣ ଭଳି ମାମଲା ରୁଜୁ କରିଛି ପୁଲିସ।
ସେପଟେ ଦୁର୍ବୃତ୍ତଙ୍କୁ ଧରିବାକୁ ସବୁ କୌଶଳ ଆପଣାଇଛି ପୋଲିସ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଚେତାବନୀ ଦେଇଛନ୍ତି ଏଡିଜି ସଂଜୟ କୁମାର। ତା’ ଛଡ଼ା ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହରରେ ୫୦ରୁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୬ କଂପାନି CAPF ମୁତୟନ ହୋଇଛନ୍ତି। ବେଆଇନ ଭାବେ ଏକାଠି ହେବାକୁ ବାରଣ କରାଯାଇଛି।