କଟକ: ଦୁର୍ଗାପୂଜା ଭସାଣରୁ ଆରମ୍ଭ ହୋଇଥିବା ହିଂସା ପରେ ଶାନ୍ତ ହୋଇଯାଇଛି ସିଲଭର୍ ସିଟି କଟକ । କର୍ଫ୍ୟୁ ପରେ ଧିରେ ଧିରେ ଶାନ୍ତ ହେଉଛି କଟକ ସହର । ସମସ୍ତେ ଶାନ୍ତି ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାଧାରଣ ଜନତାଙ୍କୁ ଆହ୍ୱାନ କରିଛନ୍ତି । କଟକ ସମ୍ମାନକୁ କ୍ଷୂର୍ଣ୍ଣ ନ କରିବାକୁ କହିଛନ୍ତି । ଏହା ସହିତ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।
ସେହିପରି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି ଯେ ଆଜି କଟକରେ ଶାନ୍ତି ଅଛି । କିଛି ମୁଷ୍ଟିମେୟ ଲୋକ ଅଶାନ୍ତ ସୃଷ୍ଟି କରିଥିଲେ । ଦୋଷୀମାନଙ୍କୁ ସିସିଟିଭି ଫୁଟେଜରେ ଚିହ୍ନଟ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୫୦ ପ୍ଲାର୍ଟୁନ୍ ଫୋର୍ସ, ୬ କମ୍ପାନୀ ସିଆରପିଏଫ୍ ମୁତୟନ ହୋଇଛନ୍ତି । କୌଣସି ଅପରାଧିକ କାର୍ଯ୍ୟାକଳାପକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚିହ୍ନଟ କରାଯିବ ଏବଂ ବନ୍ଧା ଯିବ । ତେଣୁ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଏଡିଜି ପରାମର୍ଶ ଦେଇଛନ୍ତି ।
ସେପଟେ କର୍ଫ୍ୟୁ ପରେ କଟକ ସହର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡ଼ି ଦେଲେ ଦୋକାନ ବଜାର ବନ୍ଦ ରହିଛି । କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିବାବେଳେ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଅବଧି ବଢ଼ାଇବା କିମ୍ବା କମାଇବା ଉପରେ ନିଷ୍ପତ୍ତି ନିଆଯିବ । ସହର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଛି । ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।