କଟକ: ଦୁର୍ଗା ପୂଜା ଭସାଣି ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଅଶାନ୍ତ କଟକ ସହର । ସ୍ଥିତି ନିୟନ୍ତ୍ରଣ ପାଇଁ କଟକରେ ୧୩ଟି ଥାନା ପୋଲିସ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କର୍ଫ୍ୟୁ ରବିବାର ୧୦ଟାରୁ ଆରମ୍ଭ ହୋଇଛି । ଏପରିକି କଟକର କିଛି ଅଞ୍ଚଳରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । କେହି ଉପଦ୍ରବ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ ।
କଟକର ଯେଉଁ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ସେ ଗୁଡିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ପ୍ରମୁଖ । ପୋଲିସ କମିଶନର ରବିବାର ବିଳମ୍ବିତ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଏହାର ସୂଚନା ଦେଇଛନ୍ତି । କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବା, ସରକାରୀ ଅଫିସ ଓ ସ୍କୁଲ ଖୋଲା ରହିବ । ଉପଦ୍ରବକାରୀଙ୍କୁ କୌଣସି ବି ପ୍ରକାରରେ ବରଦାସ୍ତ କରାଯିବନି ।
ସିପି କହିଛନ୍ତି, ନିୟମ ଭାଙ୍ଗିଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ। ଉପଦ୍ରବ କଲା ମାତ୍ରେ ବଳ ପ୍ରୟୋଗ କରାଯିବ। ଆଜିର ଗଣ୍ଡଗୋଳରେ ମୋଟ୍ ୨୫ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ଉପଦ୍ରବକାରୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ ଜାରି ରହିଛି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ବିଶ୍ୱାସ ନ କରିବାକୁ ଅପିଲ୍ କରାଯାଇଛି । ସ୍ଥିତି ସ୍ୱାଭାବିକ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ ଓ ସ୍ନାପଚାଟ୍ ଉପରେ କଟକଣା ଲଗାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ୟ୍ୟନ୍ତ ସୁଧୁରି ନାହିଁ। ଏବେ ବି ସହରର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଆଜି କଟକରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖା ଦେଇଛି।
Also read: ୨୪ ଘଣ୍ଟା ପାଇଁ କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା