କଟକ : ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଟକରେ ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ସ୍ନାପ୍ଚାଟ୍ ଉପରେ ୨୪ ଘଣ୍ଟା ପାଇଁ କଟକଣା ଲାଗୁ କରାଯାଇଛି। ମୋବାଇଲ୍ ଇଣ୍ଟରନେଟ୍ ସେବା ଗୃହ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି। କଟକରେ ଭଷାଣିକୁ ନେଇ ସମ୍ପ୍ରତି ହୋଇଥିବା ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରର ଶାନ୍ତି ଓ ଗୌରବ ନଷ୍ଟ ହେଉଛି। ସରକାର ଏମାନଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ କରିବ।
ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ସହରରେ ଶାନ୍ତି ପୁନଃସ୍ଥାପନ ଓ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ କରିବା ପାଇଁ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି।ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ତତ୍ପର ହୋଇଛି।